ଘଟଣା ଓ ଦୁର୍ଘଟଣା

ପଞ୍ଚାୟତ ପିଇଓଙ୍କୁ ମାଡ଼ ଓ ମରଣାନ୍ତକ ଆକ୍ରମଣ: ନାଏବ ସରପଞ୍ଚଙ୍କ ସ୍ୱାମୀ ନାମରେ ମାମଲା

By Angul TV Bureau

May 20, 2026

ଅନୁଗୁଳ: କଣିହାଁ ବ୍ଲକ ବାଲିପସି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ଓ ତାଙ୍କ ସହଯୋଗୀ ରାଜୁ ସାହୁଙ୍କ ନାମରେ ରେଙ୍ଗାଳି ଥାନାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ପିଇଓ ଦୁଷ୍ମନ୍ତ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କଣିହାଁ ବିଡିଓଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ରେଙ୍ଗାଳି ଥାନାରେ ଏତଲା ଦାଖଲ ହୋଇଛି। କଣିହାଁ ବିଡିଓ ପାଳଲହଡା ଏସଡିପିଓ, ତାଳଚେର ଉପଜିଲ୍ଲାପାଳ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି।

ରେଙ୍ଗାଳି ପୋଲିସ ବିଷ୍ଣୁଚରଣ ପ୍ରଧାନ ଓ ତାଙ୍କ ସହଯୋଗୀ ରାଜୁ ସାହୁଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ଜଣାପଡିଛି।