ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଦିନିକିଆ ଛେଣ୍ଡିପଦା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ବିଶେଷ କରି କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପୁଟଗାଡ଼ିଆ ଗ୍ରାମର ସେବାଶ୍ରମ ବିଦ୍ୟାଳୟ ପରିସରରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀନିବାସ ନିର୍ମାଣ ପାଇଁ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଅବସରରେ କୋରଡ଼ା ଗ୍ରାମ ଖେଳପଡ଼ିଆ ଠାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ବିଡିଓ ଅରବିନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ଅନୁଗୋଳ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଗୌରବମୟ ପ୍ରଧାନ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସଭାରେ ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦୀପ କୁମାର ଗଡ଼ନାୟକ, ବ୍ଲକ ପ୍ରତିନିଧି ବିଜୟ କୁମାର ମାଝୀ ଓ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ ମଞ୍ଚାସୀନ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶତ୍ରୁଘ୍ନ ସାହୁ, ସୁଶାନ୍ତ କୁମାର ସାହୁ, ଯୁବନେତା ଆଲୋକ କୁମାର ଦଣ୍ଡପାଟ, ସରପଞ୍ଚ ସନ୍ଧ୍ୟାରାଣୀ ସିଂହ, ଅକ୍ଷୟପାଦ ବେହେରା, ସୁଦୀପ୍ତ କୁମାର ପ୍ରଧାନ, ହୃଷୀକେଶ ପ୍ରଧାନ, ଗୋପବନ୍ଧୁ ଗଡ଼ନାୟକ, କହ୍ନେଇ ସାହୁ, ସୁଜିତ କୁମାର ସାହୁ ଓ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଞ୍ଚାୟତସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତା, ଓଡ଼ିଶା ଜୀବିକା ମିଶନର ପଦାଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଶେଷରେ ଅନୁଗୋଳ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।