ମୁଖ୍ୟ ଖବର

ପାଣି ପାଇଁ ୨ କିଲୋମିଟର ଯାତ୍ରା, ଅତିଷ୍ଠ ହୋଇ ରାସ୍ତା ଅବରୋଧ କଲେ ମୁଣ୍ଡା ବଜାର ବସ୍ତି ବାସିନ୍ଦା; ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

By Angul TV Bureau

June 13, 2023

ଅନୁଗୁଳ: ସ୍ଥାନୀୟ ତାଳଚେର ବ୍ଲକ ଏଫ.ସି.ଆଇ କାରଖାନା ନିକଟରେ ଥିବା ମୁଣ୍ଡା ବଜାରରେ ପାଣି ସମସ୍ୟା ଉତ୍କଟ ହୋଇଛି। ଏଣୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଜି ଅନୁଗୁଳ- ତାଳଚେର ରାସ୍ତାକୁ ଅବରୋଧ କରିଥିଲେ।

ଏହି ଅଞ୍ଚଳ ଏଫ.ସି.ଆଇ କାରଖାନା ନିକଟରେ ହୋଇଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ସପ୍ତାହରେ ମାତ୍ର ଗୋଟିଏ ଦିନ କେବଳ ଅଧା ଘଣ୍ଟା ପାଇଁ ପାଣି ମିଳୁଛି। ପାଣି ପାଇଁ ସ୍ଥାନୀୟ ଲୋକେ ପ୍ରାୟ ୨ରୁ ୩ କିମି ପର୍ଯ୍ୟନ୍ତ ଯାଉଛନ୍ତି। ବିଭାଗୀୟ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କିଛି ସମାଧାନ ନ ହେବାରୁ ସୋମବାର ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। ଦୁଇ ଦିନ ହେବ ପାଣି ପାଇଁ ଗରା ବାଲଟି ଧରି ମହିଳାମାନେ ରାସ୍ତା ଅବରୋଧ କରିଥିବା ବେଳେ ଆଜି ଘଟଣାସ୍ଥଳରେ ତହସିଲଦାର ଓ ପାନୀୟ ଜଳ ବିଭାଗ ଅଧିକାରୀ ପହଞ୍ଚି ଟ୍ୟାଙ୍କର ଯୋଗେ ପାଣି ଯୋଗାଇଛନ୍ତି। ଏଥିସହ ପନ୍ଦର ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ବସ୍ତି ଲୋକେ ଆନ୍ଦୋଳନରୁ ଓହରିଥିଲେ। ଏହି ଧାରଣାରେ ସ୍ଥାନୀୟ ସରପଞ୍ଚ ଶୁଭଶ୍ରୀ ଦେବତା ମଧ୍ୟ ଉପସ୍ଥିତ ଥିଲେ।