ମୁଖ୍ୟ ଖବର

ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା, ପମ୍ପ ହାଉସରେ ପକାଇଲେ ତାଲା

By Angul TV Bureau

April 20, 2022

ଅନୁଗୁଳ: ଖରା ଦିନ ଆରମ୍ଭରୁ ହିଁ ଆଶାତୀତ ଭାବେ ବଢ଼ିଛି ସୂର୍ଯ୍ୟଙ୍କ ପ୍ରଭାବ। ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରତିଦିନ ରାଜ୍ୟର ୫-୬ଟି ସହରର ତାପମାତ୍ରା ୪୦ ଉପରେ ରହୁଛି। ଏଭଳି ସ୍ଥିତିରେ ଗାଁ ଗହଳିରେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା ପାଲଟିଛି। ପିଇବାକୁ ସ୍ୱଚ୍ଛ ପାଣି ମୁନ୍ଦେ ନ ପାଇବାରୁ ଆଜି ସ୍ଥାନୀୟ ଖିଣ୍ଡା ପଞ୍ଚାୟତର ଲୋକେ ପାଣି ପମ୍ପ ହାଉସରେ ତାଲା ପକାଇଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ହେଲାଣି ଖିଣ୍ଡା ପଞ୍ଚାୟତରେ ପିଇବା ପାଣି ଏକ ମୁଖ୍ୟ ସମସ୍ୟା ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ପିଇବା ପାଣି ଉତ୍ସଗୁଡ଼ିକ ବନ୍ଦ ହୋଇ ପଡ଼ିରହିଛି। ଏଣୁ ପଞ୍ଚାୟତର ୩ଟି ୱାର୍ଡର ଲୋକ ଦୀର୍ଘଦିନ ହେଲାଣି ପିଇବା ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଆସୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ନ ହେବାରୁ ଆଜି ୩ଟି ୱାର୍ଡର ମହିଳା ପମ୍ପ ହାଉସରେ ତାଲା ପକାଇଛନ୍ତି।

ଏହି ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ୱାର୍ଡ ନମ୍ବର ୩, ୪ ଓ ୫ କୁ ଆଦୌ ପାଣି ଆସୁ ନାହିଁ। ତିଆରି ହେଲା ଦିନଠୁ ହିଁ ଏହି ସମସ୍ୟା ଲାଗି ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ଆଜି ଶତାଧିକ ମହିଳା ଆସି ପମ୍ପ ହାଉସରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ପମ୍ପ ହାଉସ ବନ୍ଦ ଥିବାରୁ ଅନ୍ୟ ଗାଁ ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି।