ମୁଖ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷାରେ ଅନୁଗୁଳରେ ପାସ୍ ହାର ୮୧.୩୪%, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୭୮୧ ବିଦ୍ୟାର୍ଥୀ

By Angul TV Bureau

May 21, 2025

ଅନୁଗୁଳ: ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଏକାସାଙ୍ଗରେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଯୁକ୍ତ ୨ରେ ଅନୁଗୁଳ ଜିଲ୍ଲ‌ାରେ ୮୧.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୮୬.୨୧ ପ୍ରତିଶତ, ବାଣିଜ୍ୟରେ ୭୧.୬୩ ପ୍ରତିଶତ, କଳାରେ ୭୯.୧୩ ପ୍ରତିଶତ ପାସ୍ ହାର ରହିଛି। ବିଭିନ୍ନ ବିଭାଗରେ ୨୭୮୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲାରେ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ ୧୦,୪୧୪ ଜଣ ନାମ ପଞ୍ଜୀକରଣ କରିଥିଲେ। ୧୦,୨୮୧ ପରୀକ୍ଷା ଦେଇଥିଲା ବେଳେ ୮,୩୬୩ ଜଣ ପାସ୍‌ କରିଛନ୍ତି। ୨୬୯୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିଲା ବେଳେ ୧୭୮୫ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୩୮୧୫ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୭୦ ଜଣ କମ୍ପାଲମେଣ୍ଟ‌ରେ ପାସ୍‌ କରିଛନ୍ତି। ଜିଲ୍ଲାରେ ହାରାହାରି ୮୧.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ପରିଷଦ ପକ୍ଷରୁ କୁହାଯାଇଛି। ବିଜ୍ଞାନରେ ପରୀକ୍ଷା ଦେବା ପାଇଁ ୩୭୩୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ୩୭୧୪ ଜଣ ପରୀକ୍ଷା ଦେଇଥିବା ବେଳେ ୩୨୦୨ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୭୪୯ ଜଣ, ଦ୍ବିତୀୟ ଶ୍ରେଣୀରେ ୮୯୩ ଜଣ ଓ ତୃତୀୟ ଶ୍ରେଣୀରେ ୪୯୩ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସେହିପରି କଳା ବିଭାଗରେ ପରୀକ୍ଷା ଦେବାକୁ ୬୧୮୨ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୬୦୯୧ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ୪୮୨୦ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୮୬୬ ଜଣ, ଦ୍ବିତୀୟ ଶ୍ରେଣୀରେ ୮୨୫ ଜଣ ଓ ତୃତୀୟ ଶ୍ରେଣୀରେ ୩୧୨୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଅନ୍ୟପଟେ ବାଣିଜ୍ୟରେ ୪୭୬ ଜଣ ପରୀକ୍ଷା ଦେଇଥିଲା ବେଳେ ଏଥିରୁ ୩୪୧ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୭୮ ଜଣ, ଦ୍ବିତୀୟ ଶ୍ରେଣୀରେ ୬୭ ଜଣ ଓ ତୃତୀୟ ଶ୍ରେଣୀରେ ୧୯୪ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସେପଟେ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୪୦ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ବିତୀୟ ଶ୍ରେଣୀରେ ୧୭ ଜଣ ଓ ତୃତୀୟ ଶ୍ରେଣୀରେ ୧୦ ଜଣ କୃତକାର୍ଯ୍ୟ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।