ମୁଖ୍ୟ ଖବର

ଚିକିତ୍ସା ଅଭାବରୁ ଗଲା ରୋଗୀ ଜୀବନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି

By Angul TV Bureau

March 16, 2025

ଅନୁଗୁଳ: ଚିକିତ୍ସା ଅଭାବରୁ ଗଲା ରୋଗୀ ଜୀବନ। ଡାକ୍ତରଙ୍କ ସାମାନ୍ୟ ଭୁଲ ଯୋଗୁ ଅନୁଗୁଳରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଏନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ପାତ୍ରପଡ଼ାର ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଡାକ୍ତରଖାନାକୁ ଆଣିବାର ଦୀର୍ଘ ସମୟ ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ଯେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ବାଢ଼ିଛନ୍ତି।

ଅନ୍ୟପଟେ ସ୍ୱାମୀଙ୍କୁ ହରାଇ କାନ୍ଦି କାନ୍ଦି ବେହାଲ ହୋଇଛନ୍ତି ସ୍ତ୍ରୀ। ଭାବିଥିଲେ ସ୍ୱାମୀ ଭଲ ହୋଇଗଲେ ତାଙ୍କୁ ନେଇ ଘରକୁ ଯିବେ। ପୁଣି ହସ ଖୁସିରେ ଚାଲିବ ସଂସାର। ହେଲେ ଡାକ୍ତର ରୋଗ ଭଲ କରିବେ କ’ଣ ଓଲଟା ଭୁଲ୍ ଚିକିତ୍ସା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଇଛି। ସେପଟେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି।