ମୁଖ୍ୟ ଖବର

ଉଦ୍ଧାର କରି ଆକ୍ରମଣର ଶିକାର ହେଲେ ଲୋକେ

By Angul TV Bureau

July 13, 2026

ଅନୁଗୋଳ: ମୃତ୍ୟୁ ମୁହଁରୁ ବଞ୍ଚାଇଲେ, ହେଲେ ବଦଳରେ ମିଳିଲା ଆକ୍ରମଣ। ଏମିତି ଏକ ରୋମାଞ୍ଚକର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଟୁସର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଦୁଇଟି ଭାଲୁ ଗୋଟିଏ କୂଅରେ ପଡ଼ିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ କୌଣସି ଭୟକୁ ଖାତିର ନକରି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଘଣ୍ଟା ଘଣ୍ଟା ଧରି ଚେଷ୍ଟା ପରେ ଶେଷରେ ଭାଲୁ ଦୁଇଟିଙ୍କୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଥିଲା। କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ଘଟିଲା ଅପ୍ରତ୍ୟାଶିତ କାଣ୍ଡ। କୂଅରୁ ବାହାରିବା ମାତ୍ରେ ଗୋଟିଏ ଭାଲୁ ହଠାତ୍ ଉଗ୍ର ରୂପ ଧାରଣ କଲା ଏବଂ ସେଠାରେ ଠିଆ ହୋଇଥିବା ଲୋକଙ୍କ ଆଡ଼କୁ ଦୌଡ଼ିଲା। ଜୀବନ ବଞ୍ଚାଇବାକୁ ଲୋକେ ଚାରିଆଡ଼କୁ ଛତ୍ରଭଙ୍ଗ ଦେଇ ଦୌଡ଼ିଥିଲେ।

ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏବଂ ଦେଖୁଥିବା ପ୍ରତ୍ୟେକ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। ଜୀବଜନ୍ତୁଙ୍କ ପ୍ରତି ମଣିଷର ଦୟା ଏବଂ ଜଙ୍ଗଲୀ ପ୍ରାଣୀଙ୍କ ସ୍ୱାଭାବିକ ଆଚରଣ ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।