ମୁଖ୍ୟ ଖବର

ଖୁସି ଖବର ଦେଲା ଟ୍ରାଇ: ଫେରିବ ୧୦ ଟଙ୍କିଆ ରିଚାର୍ଜ ଭାଉଚର, ୯୦ ଦିନିଆ ରିଚାର୍ଜ କୁପନର ଅବଧି ହେବ ୩୬୫ ଦିନ

By Angul TV Bureau

December 24, 2024

ନୂଆଦିଲ୍ଲୀ: ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର ଆଣିଛି ଟ୍ରାଇ। ଟ୍ରାଇ ପକ୍ଷରୁ ଟାରିଫ୍ ନିୟମରେ ସଂଶୋଧନ କରାଯାଇଛି। ଏଣିକି ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ। ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛି ଟ୍ରାଇ। ଏହା ଦ୍ଵାରା ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଫାଇଦା ମିଳିବ। ଟ୍ରାଇର ଏହି ନିୟମ ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ସହାୟକ ହେବ। ଟ୍ରାଇ ପକ୍ଷରୁ ଗତକାଲି ଏହି ନୂତନ ନିୟମ ଘୋଷଣା କରାଯାଇଛି ।

ଏଥିସହ ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁସାରେ ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଏସଏମଏସ ଏବଂ ଭଏସ୍‍ କଲ ସମ୍ବନ୍ଧୀୟ ଭାଉଚରକୁ ୯୦ ଦିନରୁ ୩୬୫ ଦିନ ଯାଏ ବୃଦ୍ଧି କରିଛନ୍ତି ଟ୍ରାଇ। ଅର୍ଥାତ୍‍ ଏଣିକି ମୋବାଇଲରେ ଅର୍ଥ ଥାଇ ମଧ୍ୟ ୯୦ ଦିନରେ ତାହା ବାତିଲ ହେବ ନାହିଁ। ଥରେ ରିଚାର୍ଜ କଲେ ବର୍ଷେ ଯାଏ ସେହି ଅର୍ଥରେ ଭଏସ୍‍ କଲ୍‍ ବା ଏସଏମଏସ ପଠାଇହେବ।