ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଯୋଡୁମୁଁ ପ୍ରଗଣାର ୨୫ଟି ଗ୍ରାମର ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ସୋମବାର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇ ଗତ ମେ ୨୬ ତାରିଖରେ ସରକାରୀ ବୋଲେରୋ ଗାଡ଼ିରେ ଚୋରା ଶାଗୁଆନ କାଠ ନେଇ ନିଜ ଘର ରେଢ଼ାଖୋଲ ଯାଉଥିବା ବେଳେ ଜରପଡ଼ା ପୋଲିସ ହାତରେ ଧରାପଡ଼ିଥିଲେ। ମାତ୍ର କୌଣସି ବୈଧ ରସିଦ ଦେଖାଇ ନ ପାରିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ ନ କରି ଛାଡ଼ିଦେଇଥିବାରୁ ସ୍ଥାନୀୟ ଲୋକ ଓ ପରିବେଶବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅପରପକ୍ଷରେ, ଅଞ୍ଚଳରେ ହାତୀ ଓ ବାରହାଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତି ସହୁଥିବା ବେଳେ ବନବିଭାଗ ପକ୍ଷରୁ ପ୍ରତିଶ୍ରୁତି ମୁତାବକ ସୋଲାର ବାଡ଼ କିମ୍ବା ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ ନାହିଁ। ଏନେଇ ଦୁଲଭ ସାହୁ, ପ୍ରଦୋଷ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ, ୧୫ ଦିନ ମଧ୍ୟରେ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ଓ ଦୁର୍ନୀତିଗ୍ରସ୍ତ ରେଞ୍ଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ସେମାନେ ରେଞ୍ଜ ଅଫିସ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇବେ।