ମୁଖ୍ୟ ଖବର

ତାଳଚେର ପୌର ଡାକ୍ତରଖାନାରୁ ପଦବୀ ଉଚ୍ଛେଦ ନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

By Angul TV Bureau

August 31, 2024

ଅନୁଗୁଳ: ସମସ୍ତ ପୌର ଡାକ୍ତରଖାନାରୁ ଲାବୋରେଟୋରୀ ଟେକ୍‌ନିସିଆନ୍‌, ହିସାବ ରକ୍ଷକ ସହିତ ଡାଟା ଏଣ୍ଟ୍ରି ଅପରେଟର ପଦବୀ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଧାରାରେ ଅନୁଗୁଳ ଜିଲ୍ଲା ତାଳଚେର ପୌର ଡାକ୍ତରଖାନାରୁ ମଧ୍ୟ ଦୁଇଟି ପଦବୀ ଉଚ୍ଛେଦ କରାଯାଇଛି। ଫଳରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଣୁ ଏହି ପଦବୀ ଉଚ୍ଛେଦ ନ କରିବାକୁ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଦାବି ପତ୍ର କରାଯାଇଛି। ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ହାଟତୋଟାସ୍ଥିତ ପୌର ଡାକ୍ତରଖାନା ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି। ଏଣୁ ଏଠାରେ ଏହି ପଦବୀ ଉଚ୍ଛେଦ କରା ନ ଯାଉ।

ଦାବି ପତ୍ର ପ୍ରଦାନ ବେଳେ ପଦ୍ମ ଚରଣ ସାମଲ, କେଶବ ଭୂତିଆ, ପ୍ରେମାନନ୍ଦ ମହାନ୍ତି, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବାଉରୀବନ୍ଧୁ ବେଜ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ମହାରଣା, ଗଗନ ବିହାରୀ ଦାସ, ସନ୍ତୋଷ ମହାରଣା, ନଖିଆ ସାହୁ, ବିଜୟ କୁମାର ମିଶ୍ର, ନରେନ କୁମାର ସିଂ, ସୁକାନ୍ତ କୁମାର ଦାସ, ନରେଶ ଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ।