ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏବେ ତେଲ ସଂକଟକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନୁଗୁଳ ସହରରୁ ବଅଁରପାଳ ମଧ୍ୟରେ ଥିବା ପ୍ରାୟ ୭ଟି ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯାଇଥିବା ବେଳେ, ଯେଉଁ କେତେକ ସ୍ଥାନରେ ତେଲ ମିଳୁଛି ସେଠାରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ଜଟିଳ ହୋଇଛି ଯେ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଟାଙ୍କି ମାଲିକମାନଙ୍କୁ ପୋଲିସର ସହାୟତା ନେବାକୁ ପଡୁଛି।
ଏହି ସଂକଟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ ବୈଦେଶିକ ନୀତି ଏବଂ ପରିଚାଳନାଗତ ତ୍ରୁଟି ଯୋଗୁଁ ସାଧାରଣ ଜନତା ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ଚର୍ଚ୍ଚା କରୁଛନ୍ତି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ବଦଳରେ ଜନସାଧାରଣଙ୍କୁ ଏହି ଖରାଦିନେ ନାହିଁ ନଥିବା ହଇରାଣ ହେବାକୁ ପଡୁଛି। ଆଗାମୀ ଦିନରେ ଏହି ସମସ୍ୟା କେଉଁ ରୂପ ନେବ, ତାହାକୁ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି।