ଅନ୍ୟାନ୍ୟ

ଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

By Angul TV Bureau

July 16, 2022

ଅନୁଗୁଳ : ବ‌ଅଁରପାଳ ବ୍ଲକ ଫୁଲପଡା-ତଳମୂଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଜମି ରହିଛି ବର୍ଷା ଜଳ। ଫଳରେ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିବା ବେଳେ କିଛି ଜବରଦଖଲକାରୀ ରାସ୍ତା ନିର୍ମାଣରେ ବାଧକ ସାଜିଛନ୍ତି।

ସୂଚନା ଅନୁଯାୟୀ, ଫୁଲପଡା-ତଳମୂଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଫୁଲପଡା ଛକ ଠାରୁ କିଛି ମିଟର ପର୍ଯ୍ୟନ୍ତ ରାସ୍ତାକୁ ବାରମ୍ବାର ସରକାରୀ ମାପଚୁପ ପାଇଁ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚିଠି କରାଯାଇଥିଲେ ମଧ୍ୟ ମାପଚୁପ ହୋଇପାରିନାହିଁ। ରାସ୍ତାର ଉଭୟ ପାର୍ଶ୍ଵ (ଖଳିନାଳ ସାହି) ରେ କିଛି ଲୋକ ଜବରଦଖଲ କରିଥିଲେ ମଧ୍ୟ ସରକାରୀ ମାପଚୁପ ପାଇଁ ଲୋକମାନେ ସହମତି ପ୍ରକାଶ କରୁ ନାହାଁନ୍ତି। ଫଳରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି।

ପ୍ରକାଶ ଯୋଗ୍ୟ ଯେ ଫୁଲପଡା ଛକରେ ୦.୭ ଡେସିମିଲ ସରକାରୀ ଜମିକୁ କିଛି ଲୋକ ଅକ୍ତିଆର କରିନେଇଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଏ ନେଇ ବାରମ୍ବାର ବଅଁରପାଳ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାପଚୁପ ଓ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।