ଘଟଣା ଓ ଦୁର୍ଘଟଣା

ସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

By Angul TV Bureau

March 20, 2023

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଜଳି ଯାଇଛି। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଟାଟା ଷ୍ଟିଲ କାରଖାନାର ଏକ ପିକଅପ୍ ଭ୍ୟାନ (OD 19 M 9967) ଗୋତମରା ଗାଁରେ ଯାତ୍ରୀଙ୍କୁ ଛାଡ଼ି ଫେରୁଥିବା ସମୟରେ ବ୍ୟାଟେରୀ ସଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର୍ ଉପସ୍ଥିତ ବୁଦ୍ଧି ଖଟାଇ ହେଲପର ଡୋର ବାଟେ ବାହାରକୁ ବାହାରି ନିଜ ଜୀବନ ବଞ୍ଚାଇଛନ୍ତି। ଗାଡ଼ି ଜଳୁଥିବା ଦେଖି ସ୍ଥାନୀୟ ବାସିନ୍ଦା ବଅଁରପାଳ ଦମକଳକୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାଯାଇଛି।