ମୁଖ୍ୟ ଖବର

ବେଆଇନ କେନ୍ଦୁପତ୍ର ଚୋରାଚାଲାଣ ପଣ୍ଡ: ପିକଅପ୍ ଭ୍ୟାନ୍‌ ସହ ୭୦ ବଣ୍ଡଲ ଜବତ, ଅଭିଯୁକ୍ତ ଫେରାର

By Angul TV Bureau

May 19, 2026

ଅନୁଗୁଳ: ବନ ବିଭାଗ ପକ୍ଷରୁ ଏକ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ରାକେଟ୍‌ ଉପରେ ଚଢ଼ାଉ କରାଯାଇଛି। କଣିହାଁ ବନାଞ୍ଚଳ ଅଧିକାରିଣୀଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଆଜି ପାଟ୍ରୋଲିଂ କରୁଥିବା ସମୟରେ ବଡ଼ଗୁଣ୍ଡୁରି ଗ୍ରାମ ନିକଟରେ ଏହି ସଫଳତା ମିଳିଛି।

ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ବନ ବିଭାଗ ଟିମ୍ ସେଠାରେ ବେଆଇନ ଭାବେ କେନ୍ଦୁପତ୍ର ପରିବହନ କରୁଥିବା ଏକ ପିକଅପ୍ ଭ୍ୟାନ (ଓଡି–୧୯–୧୩୭୭)କୁ ଅଟକାଇଥିଲା। ଗାଡ଼ିର ଯାଞ୍ଚ ବେଳେ ସେଥିରୁ ପ୍ରାୟ ୭୦ ବଣ୍ଡଲ ଚୋରା କେନ୍ଦୁପତ୍ର ଜବତ କରାଯାଇଛି। ତେବେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଚୋରା ଚାଲାଣରେ ସାମିଲ ଥିବା ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଏହି ଚଢ଼ାଉ ପ୍ରକ୍ରିୟାରେ ଫରେଷ୍ଟର ଦୀପକ କୁମାର ସେଠୀ, ଫରେଷ୍ଟ ଗାର୍ଡ ଦୀପକ ସାହୁ, କବିତା ପ୍ରଧାନ ଏବଂ ଗଜ ସାଥି ଭ୍ରମରବର ସାହୁଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ସ୍କ୍ୱାଡ୍ ସଦସ୍ୟ ସାମିଲ ଥିଲେ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ କେନ୍ଦୁପତ୍ର ସହ ଗାଡ଼ିକୁ ଜବତ କରାଯାଇ ଫେରାର ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।