ମୁଖ୍ୟ ଖବର

ଅନୁଗୁଳର ସମସ୍ତ ବନାଞ୍ଚଳରେ ପିକନିକ, ସାମାଜିକ ସମାବେଶ ମନା

By Biswaranjan Pattnaik

February 21, 2026

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ।

ଅନୁଗୁଳ ଜିଲ୍ଲା ପ୍ରଶାସନ ଶନିବାର ଦିନ ଏହି ନିଷେଧାଦେଶ ଘୋଷଣା କରିଛି। ପୂର୍ବରୁ ଅନୁଗୁଳ ଜିଲ୍ଲା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିବାରୁ ପ୍ରଶାସନ ଏଥିପାଇଁ ଆଗରୁ ପଦକ୍ଷେପ ନେବା ସହ ଜଙ୍ଗଲ ଅଞ୍ଚଳରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ପ୍ରଶାସନ ଏହି ଜଙ୍ଗଲ ଅଞ୍ଚଳଗୁଡ଼ିକୁ ଦିଆସିଲି, ଲାଇଟର, ତେଲ କିମ୍ବା ଅନ୍ୟ କୌଣସି ଅଗ୍ନି ନିର୍ବାପକ ସାମଗ୍ରୀ ବହନ କିମ୍ବା ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇଛି। କୌଣସି ପରିସ୍ଥିତିରେ ଖୋଲା ନିଆଁ, ଅଗ୍ନି ଜାଳିବା କିମ୍ବା ଅଗ୍ନି ସୃଷ୍ଟିକାରୀ ସାମଗ୍ରୀ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନୁଗୁଳ ବନ ଡିଭିଜନ ଅଧୀନରେ ଥିବା ସମସ୍ତ ସଂରକ୍ଷିତ ଜଙ୍ଗଲ ଏବଂ ଗ୍ରାମ ନିକଟ ଜଙ୍ଗଲ ପାଇଁ ଏହି କଟକଣା ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି।

ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବନ ଆଇନ ୧୯୭୨; ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨; ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।