ମୁଖ୍ୟ ଖବର

ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବେହାଲ ଜାତୀୟ ରାଜପଥ: ରାସ୍ତା ଉପରେ ମାଟି ଗଦା, ବଢ଼ାଉଛି ଦୁର୍ଘଟଣା ଭୟ

By Angul TV Bureau

June 18, 2026

ଅନୁଗୋଳ: ବଅଁରପାଳ ଠାରୁ ବେନ୍ତପୁର ଦେଇ ରନ୍ତଲେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଏବେ ଅନେକ ସ୍ଥାନରେ ବେହାଲ ହୋଇ ପଡିଛି। କେଉଁଠି ଲୋକେ ନିଜ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ରୋଡ଼ ଡିଭାଇଡର ଗୁଡିକ ଭାଙ୍ଗି ଦେଇଛନ୍ତି। ପୁଣି କେତେକ ସ୍ଥାନରେ ରାସ୍ତା ପାର୍ଶ୍ଵ ଜମିରେ ମାଟି ପୁରାଇବା ପାଇଁ ସମ୍ପୂର୍ଣ୍ଣ ରାସ୍ତା ମାଟି ଗଦାରେ ପରିଣତ କରି ଦେଇଛନ୍ତି। ଏଭଳି ସ୍ଥିତିରେ ଜାତୀୟ ରାଜପଥ ବାଇପାସ ରାସ୍ତାରେ ଦୁର୍ଘଟଣା ଭୟ ଅଧିକରୁ ଅଧିକ ହେବାରେ ଲାଗିଛି। ଏନେଇ ଏନଏଚଏଆଇ ଠାରୁ ରାଜସ୍ୱ ବିଭାଗ କାହାର ନଜରରେ ଏହା ଆସୁନାହିଁ। ଫଳରେ ସାଧାରଣ ଜନଜୀବନ ଏବେ ଅସୁରକ୍ଷିତ ହୋଇ ପଡିଛି।

ସୂଚନା ମୁତାବକ ଅନୁଗୋଳ ସହର ମଧ୍ୟ ଦେଇ ପୁରୁଣା ଜାତୀୟ ରାଜପଥ୫୫ ରହିଥିଲା। ସଂକୀର୍ଣ୍ଣ ରାସ୍ତା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନି ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ବାଇବାସ ରାସ୍ତା ନିର୍ମାଣ କରାଯାଇଛି। ହେଲେ ବର୍ତ୍ତମାନ କିଛି ନ୍ୟାସ୍ତସ୍ୱାର୍ଥ ଲୋକଙ୍କ କାରଣରୁ ବାଇପାସ ରାସ୍ତା ମଧ୍ୟ ଦୁର୍ଘଟଣା ପ୍ରବଣ ହେଲାଣି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସର୍ବସାଧାରଣ ରାସ୍ତାକୁ ନଷ୍ଟ କରିବା ସହ ରାସ୍ତାରେ ଯାଉଥିବା ପଥଚାରି ମାନଙ୍କୁ ହଇରାଣ ହେବାକୁ ପଡୁଛି।

ବେନ୍ତପୁର ଗାଁ ନିକଟରେ ଏକ ବ୍ୟକ୍ତିଗତ ଜମିରେ ମାଟି ପୋତା ଯାଉଛି। ମାଟି ଗୁଡିକ ଗାଡ଼ିରେ ବୁହା ଯାଉଥିବା ବେଳେ ସାରା ରାସ୍ତାରେ ପଡି ପଡି ଆସୁଥିବା ଦେଖାଯାଇଛି। ସ୍କୁଟି, ବାଇକ ନେଇ ଯାଉଥିବା ଲୋକେ ଏହି କାଦୁଅ ମାଟି ଉପରେ ଗାଡି ନେବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅପର ପକ୍ଷେ ବାରମ୍ବାର ଦୀର୍ଘଦିନ ଧରି ଏହି ମାଟି ପଡିବା କାରଣରୁ ମାଟି ଗଦା ସୃଷ୍ଟି ହୋଇ ସମ୍ପୂର୍ଣ୍ଣ ରାସ୍ତା ଏକ ପ୍ରକାର ହମ୍ପସରେ ପରିଣତ ହୋଇଛି। ରାତି ସମୟରେ ଅନ୍ଧାର ହେତୁ ଏହି ସବୁ ମାଟି ଗଦା ଉପରେ ଗାଡି ଚଢ଼ିବା ବେଳେ ମଧ୍ୟ ଦୁର୍ଘଟଣା ହେଉଥିବା ଦେଖାଯାଇଛି। ଯେଉଁ ସ୍ଥାନରେ ମାଟି ପୋତା ଚାଲିଛି ସେଠାରୁ ମାତ୍ର ୨ ଶହ ମିଟର ଦୂରରେ ବେନ୍ତପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ବେନ୍ତପୁର ରାଜସ୍ୱ ନିରୀକ୍ଷକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଥିଲେ ଯେ, ଏନେଇ କୌଣସି ଖବର ଆମ ପାଖରେ ନାହିଁ।