ଘଟଣା ଓ ଦୁର୍ଘଟଣା

ଗୋଦାମ ଛାତ ଭାଙ୍ଗି ଲକ୍ଷେ ଟଙ୍କାର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି, ଚୋରି ସାମଗ୍ରୀ ଉଦ୍ଧାର

By Angul TV Bureau

October 15, 2026

ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆମୌଜାରେ ଏକ ଗୋଦାମରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୯ ବର୍ଷୀୟ ଯୁବକ ଏବଂ ଜଣେ ୧୫ ବର୍ଷୀୟ ନାବାଳକଙ୍କ ସମ୍ପୃକ୍ତି ନେଇ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତାଇଁସି ଗ୍ରାମର ବିଶ୍ୱଜିତ ପ୍ରଧାନ (୩୪) ଅନୁଗୋଳ ସହରରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବସାୟ କରନ୍ତି। ଗତ ୧୧ ତାରିଖ ରାତି ପ୍ରାୟ ୮ଟାରେ ସେ ନୂଆମୌଜାସ୍ଥିତ ନିଜ ଗୋଦାମ ବନ୍ଦ କରିଥିଲେ। ଦୁଇ ଦିନ ପରେ, ଅର୍ଥାତ୍ ୧୩ ତାରିଖ ସକାଳ ପ୍ରାୟ ୧୦ଟାରେ ଗୋଦାମକୁ ଆସି ଦେଖିବା ବେଳକୁ ଟିଣ ଛାତ ଭଙ୍ଗାଯାଇଥିବା ସହ ସିସିଟିଭି କ୍ୟାମେରାର ତାର କଟାଯାଇଥିଲା। ଯାଞ୍ଚ ବେଳେ ଗୋଦାମରୁ ପ୍ରାୟ ୧ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି ହୋଇଥିବା ଜଣାପଡ଼ିଥିଲା।ଏନେଇ ବିଶ୍ୱଜିତ ୧୪ ତାରିଖରେ ଅନୁଗୋଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅନୁଗୋଳ ସଦର ଥାନା ମାମଲା ନଂ ୮୭୩/୧୪.୧୦.୨୦୨୬, ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସିସିଟିଭି ଫୁଟେଜ୍ ଯାଞ୍ଚ ଓ ସାକ୍ଷୀଙ୍କ ବୟାନ ଆଧାରରେ ନୂଆମୌଜାର ଗୌତମ ଓରଫ ଆଦର୍ଶ ବେହେରା (୧୯) ଏବଂ କାଳୁ ଓରଫ ନରୋତ୍ତମ ନାୟକ (୧୫)ଙ୍କ ସମ୍ପୃକ୍ତି ସନ୍ଦେହରେ ତଦନ୍ତ କରାଯାଇଥିଲା। ଗୌତମଙ୍କ ସୂଚନା ଆଧାରରେ ସାକ୍ଷୀଙ୍କ ଉପସ୍ଥିତିରେ ଲୁଚାଇ ରଖାଯାଇଥିବା ସ୍ଥାନରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା। ଏଥିରେ ପ୍ଲାଷ୍ଟିକ୍ ବ୍ୟାଗ୍ ଭର୍ତ୍ତି ଚାରିଟି ଜରି ବ୍ୟାଗ୍ ରହିଛି।

ଅନ୍ୟପକ୍ଷରେ, ୧୫ ବର୍ଷୀୟ ନରୋତ୍ତମ ନାୟକ ଗୋଦାମ ବାହାରେ ଜଗି ରହିଥିବା ଅଭିଯୋଗ ରହିଛି। ସ୍କୁଲ୍ ରେକର୍ଡ ଆଧାରରେ ତାଙ୍କ ବୟସ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯାଇଛି। ଘଟଣାରେ ଅନ୍ୟ କୌଣସି ତଥ୍ୟ ରହିଛି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।