ମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା, ମେ’ ସୁଦ୍ଧା ପ୍ରକାଶ ପାଇବ ଫଳ

By Angul TV Bureau

April 10, 2023

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସୋମବାରଠୁ ଆରମ୍ଭ ହୋଇ ୨୨ ତାରିଖରେ ସରିବ। ଖାତା ମୂଲ୍ୟାୟନ ପାଇଁ ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍ ମୂଲ୍ୟାୟନ ଚଳିତ ମାସ ୨୧ ତାରିଖରେ ସରିବାକୁ ଥିବା ବେଳେ ଅଫଲାଇନ୍ ମୂଲ୍ୟାୟନ ୨୨ରେ ସରିବ। ଅଫଲାଇନ୍ ମୂଲ୍ୟାୟନ ପାଇଁ ୬୫ଟି କଲେଜକୁ ସେଣ୍ଟର କରାଯାଇଛି। ସେହିପରି ଅନ୍‌ଲାଇନ୍‌ ପାଇଁ ୭ଟି କଲେଜକୁ ଚୟନ କରାଯାଇଥିବା ବେଳେ ବାକି ସମସ୍ତ କମ୍ପ୍ୟୁଟର ସେଣ୍ଟରକୁ ଚୟନ କରାଯାଇଛି।

ସୂଚନା ଅନୁଯାୟୀ, ପ୍ରଥମ ପ୍ରର୍ଯ୍ୟାୟ ମୂଲ୍ୟାୟନରେ କଳା ବିଭାଗର ୧୭ଟି, ବିଜ୍ଞାନ ବିଭାଗର ୧୮ଟି ଓ ବାଣିଜ୍ୟ ବିଭାଗର ୧୪ଟି ବିଷୟରେ ମୂଲ୍ୟାୟନ କରାଯିବ। ଦ୍ବିତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ମୂଲ୍ୟାୟନ ୨୭ ତାରିଖରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ୍‌ରେ ୨୩ ଏପ୍ରିଲ୍‌ରୁ ଆରମ୍ଭ ହୋଇ ମେ ରେ ଶେଷ ହେବ । ଏହି ସମୟରେ କଳା ସମେତ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ କରାଯିବ । ଦ୍ବିତୀୟ ପର୍ଯ୍ୟାୟ କଳା ବିଭାଗ ମୂଲ୍ୟାୟନ ସମୟରେ ୨୭ଟି ବିଷୟ ବିଜ୍ଞାନରେ ୨୪ଟି ଓ ବାଣିଜ୍ୟରେ ୧୮ଟି ବିଷୟରେ ମୂଲ୍ୟାୟନ ହେବ। ଧନ୍ଦାମୂଳକ ଶିକ୍ଷାର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ । ସମସ୍ତ ଖାତା ଦେଖା ମେ ୭ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।