ଅନଗୁଳ: ଜିଲ୍ଲା ପାଠାଗାର ପରିସରରେ ବୁଧବାର ପୂର୍ବାହ୍ନରେ ବ୍ୟାସକବି ଫକୀର ମୋହନଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହକୁ ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାଶ ବ୍ୟାସକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ।
ଶ୍ରୀ ଦାଶ ନିଜ ବକ୍ତବ୍ୟରେ ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ଫକୀରମୋହନଙ୍କ ତୁଳନାତ୍ମକ ଅଧ୍ୟୟନ ଉପସ୍ଥାପନ କରିବା ସହ ବ୍ୟାସକବିଙ୍କ ଗଳ୍ପ ଓ ଉପନ୍ୟାସରେ ଓଡ଼ିଆ ଜୀବନଧାରା କିଭଳି ପ୍ରତିଫଳିତ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ରୂପେ ଅନୁଗୁଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ା ସୁରେଶ ଚନ୍ଦ୍ର ରାଜହଂସ ଯୋଗଦେଇ ଫକୀରମୋହନ କିଭଳି ସମକାଳ ଉପନିବେଶବାଦ, ଅନ୍ଧବିଶ୍ୱାସ, ଶୋଷଣ ଆଦି ବିରୁଦ୍ଧରେ କଲମ।ଉଠାଇଥିଲେ ତାହା ବର୍ଣ୍ଣନା କରିଥିଲେ। ଫକୀରମୋହନଙ୍କୁ କ୍ରାନ୍ତିକାରୀ ପୁରୁଷ ଓ ଭାଷା ଆନ୍ଦୋଳନର ସାରଥୀ ବୋଲି ଉଲ୍ଲେଖ କରିବା ସହ ଊନବିଂଶ ଶତାବ୍ଦୀରେ ତାଙ୍କର କବିତା, ଗଳ୍ପ, ଉପନ୍ୟାସ ସାଂସ୍କୃତିକ ଚେତନାକୁ ଉଦବୁଦ୍ଧ କରିଥିଲା ବୋଲି କହିଥିଲେ। ସମାରୋହରେ ସଂସଦର ଉପସଭାପତି ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଅତିଥି ପରିଚୟ ପ୍ରଦାନ କରିଥିଲେ। ସେ ନିଜ ଅଭିଭାଷଣରେ ଫକୀରମୋହନଙ୍କ ସାହିତ୍ୟରେ ପରିବାରବାଦ ଓ ନାରୀ ଚରିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମାରୋହରେ ସ୍କୁଲ ସ୍ତରୀୟ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏଥିରେ ଏସଭିଏମ୍ ନାଲକୋନଗର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଡିଏଭି ସାବିତ୍ରୀ ଜିନ୍ଦଲ ରନରସ୍ଅପ୍ ହୋଇଥିଲା।
ଅତିଥିମାନେ ସେମାନଙ୍କୁ ପ୍ରଶଂସା ପତ୍ର ଓ ନଗଦ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ।ପ୍ରାଧ୍ୟାପକ ଦଧିବାମନ ପ୍ରଧାନ ଏବଂ ଅଧ୍ୟାପକ ମନୋଜ କୁମାର ବେହେରା ସାଧାରଣ ଜ୍ଞାନ ପ୍ରତିଯୋଗିତା ପରିଚାଳନାରେ ସହାୟତା କରିଥିଲେ। ଶେଷରେ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭାରେ ସଂସଦର ବହୁ ସଦସ୍ୟ ଓ ବୁଦ୍ଧିଜୀବି ଯୋଗଦାନ କରିଥିଲେ।