ମୁଖ୍ୟ ଖବର

ପ୍ରଶାସନର ନିଦ ଭାଙ୍ଗିଲା! ଶଗଡ଼ରେ ରୋଗୀ ବୁହାହେବା ପରେ ପୋକୁଣ୍ଡ- ବୃନ୍ଦାବନପୁର ରାସ୍ତାର ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

By Angul TV Bureau

July 27, 2023

ଅନୁଗୁଳ:ଖୁବଶୀଘ୍ର ତିଆରି ହେବ ଅନୁଗୁଳ ବ୍ଲକ ମାଣିକଯୋଡି ପଞ୍ଚାୟତର ବୃନ୍ଦାବନପୁର ଗ୍ରାମକୁ ରାସ୍ତା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନା ମୁତାବକ, ବୃନ୍ଦାବନପୁର ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ନିକଟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଶଗଡରେ ବୋହି ଡାକ୍ତରଖାନାକୁ ପହଞ୍ଚାଇବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଏହି ଖବର ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହେବା ପରେ ସେ ସରଜମିନ ତଦନ୍ତ ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ମୁତାବକ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ବୈଷୟିକ କର୍ମଚାରୀ ମିଳିତ ଭାବେ ପୋକୁଣ୍ଡା- ବୃନ୍ଦାବନପୁର ରାସ୍ତା ପରିଦର୍ଶନ କରିଥିଲେ।

ଏଠାରେ କହି ରଖୁଛୁ ଯେ ଏହି ରାସ୍ତାର ଉନ୍ନତିକରଣ ପାଇଁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ମନରେଗା ଯୋଜନାରେ ଅନୁମୋଦନ କରାଯାଇଥିଲା। ସେଥିରୁ ୧ ଲକ୍ଷ ୭୪ ହଜାର ଟଙ୍କା ଉନ୍ନତିକରଣରେ ଖର୍ଚ୍ଚ ହୋଇସାରିଛି। ଏବେ ବର୍ଷା ଚାଲିଛି। ବର୍ଷା କମିଲେ ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯାଇ ପକ୍କା ରାସ୍ତା କରାଯିବ ବୋଲି ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଣାଇଛନ୍ତି।