ମୁଖ୍ୟ ଖବର

ଶ୍ୟାମସୁନ୍ଦରପୁର ଅପମୃତ୍ୟୁ ମାମଲାରେ ପୋଲିସ ସ୍ୱଚ୍ଛତାର ସହକାର୍ଯ୍ୟ କରିଛି: ହାଇକୋର୍ଟ

By Biswaranjan Pattnaik

May 01, 2026

ଅନୁଗୁଳ: ଗତ ସେପ୍ଟେମ୍ବର ୭.୨୦୨୫ ତାରିଖ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସେପ୍ଟେମ୍ବର ୬ ତାରିଖ ଦିନ ଗାଁର ୧୦ ବର୍ଷର ନାବାଳିକା ସ୍କୁଲରୁ ଆସି ଘରକୁ ଫେରିବା ପରେ ଖେଳିବାକୁ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲା। ବହୁ ଖୋଜା ଖୋଜି ପରେ ତାର ପତ୍ତା ମିଳିନଥିଲା। ପରଦିନ ସକାଳେ ଗାଁ ଲୋକେ ନାବାଳିକାର ଶବ ପାଖ ନାଳରେ ଭାସୁଥିବା ଦେଖିଥିଲେ।

ପାରିପାର୍ଶ୍ୱିକ ଅବସ୍ଥା ଦେଖି ସମସ୍ତେ ଏହାକୁ ବଳାତ୍କାର ପରେ ହତ୍ୟା ମାମଲା ବୋଲି ଧରି ନେଇଥିଲେ।ପୋଲିସ ଖବର ପାଇଁ ଅନୁଗୁଳ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ଵାବଧାନରେ ଦକ୍ଷ ପୋଲିସ ଅଫିସର ଏ ଘଟଣାର ଛାନଭିନ କରିଥିଲେ। ସାଇଣ୍ଟିଫିକ୍ ଟିମ୍, ଡଗ ସ୍କ୍ୱାର୍ଡର ସହାୟତା ନିଆ ଯାଇଥିଲା।ଏହାପରେ ଅପମୃତ୍ୟୁ ମାମଲା ୧୪/୨୦୨୫ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ସାକ୍ଷୀ ମାନଙ୍କ ଜମାନବନ୍ଦୀ ଏବଂ ତଦନ୍ତର ଟିକିନିଖି ରିପୋର୍ଟରେ ବଳାତ୍କାର ର କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ ଏହା ପରିବାର ବର୍ଗ ଏବଂ ଗାଁଲୋକଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା। ଏକାଧିକ ବାର ରାସ୍ତା ରୋକ ଏବଂ ଆନ୍ଦୋଳନ ମଧ୍ୟ ହୋଇଥିଲା। ଏହି ମାମଲାକୁ କ୍ରାଇମ୍ ବ୍ରାଞ୍ଚ କିମ୍ବା ସିବିଆଇକୁ ହସ୍ତାନ୍ତର ପାଇଁ ଶେଷରେ ପରିବାର ପକ୍ଷରୁ ଅକ୍ଷୟ ସେଠ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

ସାକ୍ଷପ୍ରମାଣ ଏବଂ ତଦନ୍ତ ଠିକ୍‌ ବାଟରେ ହୋଇନାହିଁ ବୋଲି ତାଙ୍କର ଅଭିଯୋଗ ଥିଲା। କିନ୍ତୁ ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ ସମସ୍ତ ଦସ୍ତାବିଜ୍‌କୁ ଅନୁଧ୍ୟାନ କଲା ପରେ ପୋଲିସ ଳର ତଦନ୍ତ ପ୍ରକ୍ରିୟା ସ୍ୱଚ୍ଛତା ଓ ନିରପେକ୍ଷତାର ସହ ହୋଇଛି ବୋଲି କହିବା ସହ ଅନ୍ୟ କୌଣସି ସଂସ୍ଥାକୁ ଏ କେସ୍‌ ହସ୍ତାନ୍ତର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏ ମାମଲାରେ ଶେଷରେ ପୋଲିସ ଳକୁ କ୍ଲିନ୍‌ ଚିଟ ମିଳିବା ସହ ପୋଲିସ ଅଧିକାରୀ ମାନେ ଆଶ୍ୱସ୍ତ ହୋଇଛନ୍ତି।