ମୁଖ୍ୟ ଖବର

ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

By Angul TV Bureau

January 31, 2025

ଅନୁଗୁଳ: ଅନୁଗୁଳ ସହରରେ ଗତ ସୋମବାର ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମାମଲାର ତଦନ୍ତ କରି ବନ୍ତଳା ଥାନା ବାଣପୁରର ଜଗନ୍ ନାୟକ, ସମୟ ନାୟକ, ଲୁକୁନ ନାୟକଙ୍କ ସହ ଅନ୍ୟ ୭ ଜଣଙ୍କୁ ଗିରଫ କରିଛି। ମାମଲାରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଅଛି ବୋଲି ପୋଲିସ କହିଛି।

ଅଭିଯୁକ୍ତମାନେ ପୂର୍ବ ଶତ୍ରୁତାରୁ ପାର୍ଥ ସାରଥୀ ପ୍ରଧାନଙ୍କୁ ହାଣିଥିବା ସ୍ୱୀକାର କରିଛନ୍ତି। ପୂର୍ବରୁ ଏମାନଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ଏହି କାରଣରୁ ଅନେକ ଥର ଦୁଇ ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲେ। ଏହାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ପାର୍ଥସାରଥୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବୋଲି ପୋଲିସ ଆଗରେ ମାନିଛନ୍ତି।

ପ୍ରକାଶ ଯେ ସୋମବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ପାର୍ଥସାରଥୀ ପ୍ରଧାନ(୨୫)  ମୈତ୍ରୀ ନଗର ଅଞ୍ଚଳର ଏକ ଜିମ ସେଣ୍ଟରରୁ କାମ ସାରି ଫେରୁଥିଲେ। ଅମଲାପଡା ହନୁମାନ ମନ୍ଦିର ନିକଟରେ ସେ ଅଟକିଥିବା ବେଳେ କିଛି ଯୁବକ ବାଇକ ଯୋଗେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାର୍ଥକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।