ମୁଖ୍ୟ ଖବର

କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ନରପିଶାଚକୁ ବାନ୍ଧିଲା ପୋଲିସ, ଜବତ କଲା ନାବାଳିକାର ପାଉଁଜି

By Angul TV Bureau

March 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୋଲିସ କବ୍ଜାରେ ପାଞ୍ଚ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ନରପିଶାଚ। କୋମଳମତି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଛି କାମାନ୍ଧ ବାବୁଲା ଜେନା। ୩ ଦିନ ଧରି ମାରାଥନ ଜେରା ପରେ ମୁହଁ ଖୋଲିଛି ଅଭିଯୁକ୍ତ।

ଅଭିଯୁକ୍ତ କହିଛି, ସେ ହାଣ୍ଡିଆ ପିଇ ୫ ବର୍ଷର ଶିଶୁକୁ ମୋବାଇଲ ଦେଖାଇବା ବାହାନାରେ ନିଜ ଘରକୁ ନେଇଥିଲା। ସେଠାରେ ତା’ ପାଟି ଓ ତଣ୍ଟି ଚିପି ଦୁଷ୍କର୍ମ କରିଥିଲା। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଭୟରେ ସେ ମୃତ ଦେହକୁ ନିଜ ଘରେ ହିଁ ଲୁଚାଇ ଦେଇଥିଲା। ଦୁଇଦିନ ଧରି ଶିଶୁର ଶବ ଘରେ ରଖିବା ପରେ ସୁଯୋଗ ଦେଖି ଶନିବାର ଘର ପାଖ ମହୁଲ ଗଛ ବୁଦାରେ ରକ୍ତ ଜୁଡୁବୁଡୁ ମୃତ ଦେହକୁ ପକାଇ ଦେଇଥିଲା। ଏହା ପରେ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ କଦଳୀ ଗଛ ମୂଳରେ ନାବାଳିକାର ପାଉଁଜି ଓ ମୋବାଇଲକୁ ଲୁଚାଇଥିବା କହିଥିଲା ଦୁଷ୍କର୍ମୀ। ପୋଲିସ ଖୋଜାଖୋଜି କରିବାରୁ ଉକ୍ତ ସ୍ଥାନରୁ ମୋବାଇଲ ଓ ପାଉଁଜି ମିଳିଥିଲା। ଆଜି ଅପରାହ୍ନରେ ବାବୁଲାକୁ କୋର୍ଟ ଚାଲାଣ କରାଯାଇଥିବା ନିଶା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ କହିଛନ୍ତି।