ଅନ୍ୟାନ୍ୟ

ଡାକ୍ତରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା: ହୀରକକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

By Angul TV Bureau

July 26, 2022

ଅନୁଗୁଳ: କୋଟିଏ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ହୀରକ କୁମାର ପରିଡ଼ା(୪୫)କୁ ଅନୁଗୁଳ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଏହି ରିମାଣ୍ଡ ଅବଧି ସମୟରେ ଠକେଇ ବାବଦରେ ଖୋଳତାଡ଼ କରାଯିବା ସହ ତାଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ପୋଲିସ ଲକ୍ଷ୍ୟ ରଖିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଇଲାକା ସିଲିପୁରର ବାସିନ୍ଦା ହୀରକ ଭୁବନେଶ୍ବରର ଏକ ଇଂଜିନିୟରିଂ କଲେଜରୁ ବିଟେକ୍ ଉତ୍ତୀର୍ଣ୍ଣ ହେବା ପରେ କ୍ୟାରିୟର୍ କନସଲଟାନ୍ସି କାମ କରୁଥିଲା। ଗତ ୧୨ ବର୍ଷ ହେଲାଣି ସେ ଏହି କାମ କରୁଥିବା ବେଳେ ମେଡ଼ିକାଲ୍ ସିଟ୍ କରାଇବା ଆଳରେ ଲୁଟି।ଚାଲିଥିଲା। ଅନୁଗୁଳ ସହରର ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ପୁଅର ମେଡିକାଲ୍ କଲେଜରେ ପିଜି ଆଡ୍‌ମିଶନ ପାଇଁ କହି ସେ କୋଟିଏ ଟଙ୍କାର ଚୂନ ଲଗାଇଥିଲା। ଏ ନେଇ ସମ୍ପୃକ୍ତ ଡାକ୍ତର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ କୋଣାର୍କ ମନ୍ଦିର ନିକଟରୁ ଅଭିଯୁକ୍ତ ହୀରକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ହୀରକର ଠକେଇ ଜାଲ୍‌ରେ ଅନୁଗୁଳ ସହରର ଜଣେ ପ୍ରତିଷ୍ଠିତ ଓକିଲ ମଧ୍ୟ ପଡ଼ିଛନ୍ତି। ଝିଅ ପାଇଁ ମ୍ୟାନେଜମେଣ୍ଟ୍ କୋଗରେ ଏମ୍‌ବିବିଏସ୍ ସିଟ୍ କରାଇ ଦେବାକୁ କହି ହୀରକ ତାଙ୍କୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଠକାମୀ ଏତିକିରେ ରହିଛି ନାଁ ଆଉ କେହି ଏହା ଜାଲରେ ପଡ଼ିଛନ୍ତି ପୋଲିସ ତାହାର ତଦନ୍ତ ଚଳାଇଛି।