ମୁଖ୍ୟ ଖବର

ସୀମା ଟପିଲା ପୁଲିସର ବର୍ବରତା, ଛେଳି କିଣାବିକାକୁ ନେଇ ଯୁବକଙ୍କୁ ପିଟି ପିଟି କଲା ଦରମରା

By Angul TV Bureau

May 08, 2022

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଛେଳି କିଣା ବିକା ମାମଲାରେ ଅର୍ଥ ଦିଆନିଆ ନେଇ ବିକ୍ରେତାଙ୍କୁ ଅତି ଅମାନୁଷିକ ଭାବେ ଆଠମଲ୍ଲିକ ଥାନା ପୁଲିସ ମାଡ଼ ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତଙ୍କ ପରିବାର। ଆଠମଲ୍ଲିକ ଥାନାର କଳ୍ପନା ବେହେରା ଓ ସହଯୋଗୀ ପୁଲିସ କର୍ମଚାରୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଆଠମଲ୍ଲିକ ଥାନା ଯଦୁପୁର ଗାଁର ମଦନ ସାହୁ ପ୍ରାୟ ୧୫ ଦିନ ତଳେ ଗାଁର ମୋହନ ଜାଲଙ୍କୁ ୨୦ ହଜାର ଟଙ୍କାରେ ୫ଟି ଛେଳି ବିକ୍ରି କରିଥିଲେ। କିନ୍ତୁ ମୋହନ ଛେଳିକୁ କିଛି ଦିନ ରଖିବା ପରେ ସେମାନେ ରୋଗିଣା ବୋଲି କହି ଫେରାଇବା ସହ ଟଙ୍କା ଫେରାଇବାକୁ ଅଡ଼ି ବସିଥିଲେ। ଏଥିରେ ମଦନ ରାଜି ନ ହେବାରୁ ଦୁଇ ଭାଇ ମୋହନ ଓ ମୁରଲୀ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ମଦନକୁ ଥାନାକୁ ଆଣି ପଚରାଉଚରା ଆଳରେ ନିର୍ଦ୍ଧୁମ ପିଟିଛି। ଏସଆଇ କଳ୍ପନା ବେହେରା ଓ ତାଙ୍କ ସହଯୋଗୀ ମଦନଙ୍କୁ ପ୍ରବଳ ପିଟିବା ସହ ତାଙ୍କ ଛାତିରେ ଟଙ୍କା ଫେରେଇବା ପାଇଁ ତାଗିଦ୍ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସର ଅକଥନୀୟ ଅତ୍ୟାଚାର ସହି ନ ପାରି ମଦନ ପୁଅ ହାତରେ ୧୦ ହଜାର ଟଙ୍କା ମଗାଇ ପୋଲିସ ଅଧିକାରିଣୀଙ୍କୁ ଦେଇଥିବା ମଦନଙ୍କ ପୁଅ କହିଛନ୍ତି।

ଅନ୍ୟପଟେ ମାମୁଁ ମଦନଙ୍କ ବିଷୟରେ ବୁଝିବାକୁ ଥାନାକୁ ଯାଇଥିବା ତାଙ୍କ ଭଣଜାକୁ ମଧ୍ୟ ପୁଲିସ ଅଟକ ରଖି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ବିଳମ୍ବିତ ରାତିରେ ପୋଲିସ ମଦନଙ୍କୁ ଛାଡି ଥିବା ବେଳେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଉପକଣ୍ଠ ଡାକ୍ତରଖାନା ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୋଲିସର ଏଭଳି ଆଚରଣକୁ ପୀଡିତ ପରିବାର ବିରୋଧ କରି ନ୍ୟାୟ ଭିକ୍ଷା କରିଛନ୍ତି।

ଏ ଘଟଣାରେ ଆଠମଲ୍ଲିକ ଥାନାର ଏଏସଆଇ କଳ୍ପନା ବେହେରା ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଥିବା ଜଣାଯାଇଛି।