ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖନନ ଓ ପରିବହନ ଉପରେ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖିଣ୍ଡ ବି ପଥର କୁଆଁରୀରୁ ବିନା ଟ୍ରାଞ୍ଜିଟ୍ ପାସ୍ରେ କଳାମୁଗୁନି ପଥର ଚୋରା ଚାଲାଣ ହେଉଥିବା ବେଳେ ରେଙ୍ଗାଳି ପୋଲିସ ଚଢ଼ାଉ କରିଛି। ଚଢ଼ଉ ବେଳେ ପୋଲିସ ୫ଟି ହାଇୱା ସମେତ ଗୋଟିଏ ପୋକଲିନ ଓ ଗୋଟିଏ ଷ୍ଟୋନ୍ ବ୍ରେକର ମେସିନ୍ ଜବତ କରିଛି। ତାଳଚେର ଖଣି ବିଭାଗର ଯାଞ୍ଚ ପରେ ଏହି ପରିବହନ ବେଆଇନ ବୋଲି ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ଡ୍ରାଇଭର ଜିତେନ୍ଦ୍ର ପ୍ରଧାନ, ପୁଲସ୍ତି ବେହେରା, ଗଣେଶ୍ଵର ପ୍ରଧାନ, କାଳନ୍ଦୀ ଚରଣ ସାମଲ ଓ ରଞ୍ଜନ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରେଙ୍ଗାଳି ଆଇଆଇସି ଚଞ୍ଚଳା ନାୟକଙ୍କ ଅଭିଯୋଗ କ୍ରମେ କଣିହାଁ ଆଇଆଇସି ରମଣି ରଞ୍ଜନ ଦଳେଇ ଏହି ମାମଲାର ତଦନ୍ତ କରୁଛନ୍ତି। ପାଳଲହଡା ଏସଡିପିଓ କୈଳାଶ ଚନ୍ଦ୍ର ସେଠିଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଏହି ବେଆଇନ କାରବାର ବିରୋଧରେ ଅଭିଯାନ ଆହୁରି ଜୋରଦାର ହେବ।