ଅନୁଗୋଳ: ଅନୁଗୋଳ ସହରରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ହେମସୁରପଡ଼ା ଶିବା ପଡ଼ିଆରେ ଏକାଠି ହୋଇ ଲୁଟ୍ପାଟ୍ ପାଇଁ ଯୋଜନା କରୁଥିବା ୫ ଜଣ ଯୁବକଙ୍କ ସମେତ ଜଣେ ନାବାଳକଙ୍କୁ ପୋଲିସ ଧରିଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ ଟିମ୍ ସେଠାରେ ଚଢ଼ଉ କରି ସମସ୍ତଙ୍କୁ କାବୁ କରିଥିଲା।
ଧରାପଡ଼ିଥିବା ଯୁବକମାନେ ହେଲେ ଘୁଞ୍ଚାପାଳର ଅନିଲ ନାଏକ (୨୧), ବେନ୍ତପୁରର ଅଜୟ ନାଏକ (୨୨), ଘୁଞ୍ଚାପାଳର ସମୟ ନାଏକ (୨୬) ଓ ରାଜକିଶୋରପଡ଼ାର ଦିପୁ ନାଏକ (୨୮)। ସେମାନଙ୍କ ସହ ଜଣେ ନାବାଳକ ଥିବା ପୋଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ଅନୁଗୋଳ-କଳମଛୁଇଁ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଇ ଡକାୟତି କରିବାକୁ ଏମାନେ ଯୋଜନା କରିଥିଲେ। ବିଳମ୍ବିତ ରାତିରେ ରାସ୍ତାରେ ଲୁଟ୍ପାଟ୍ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ଚଢ଼ଉ କରି ଯୋଜନାକୁ ବିଫଳ କରିଛି।
ଚଢ଼ଉ ସମୟରେ ସେମାନଙ୍କ ନିକଟରୁ ଖଣ୍ଡା, ଛୁରି ସମେତ ବିଭିନ୍ନ ମାରଣାସ୍ତ୍ର, ଗୋଟିଏ ବାଇକ୍, ମଦ ବୋତଲ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଧରାପଡ଼ିଥିବା ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।