ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଅଞ୍ଚଳରେ ପୋଲିସ ଏକ ବଡ଼ ଆପରାଧିକ ଯୋଜନାକୁ ପଣ୍ଡ କରିଛି। ଆଜି ସନ୍ଧ୍ୟାରେ ୩-୪ ଜଣ ସନ୍ଦିଗ୍ଧ ଅପରାଧୀ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।
ଖବର ପାଇ ବଅଁରପାଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇ ଜଣ ଅପରାଧୀ ଆକାଶକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ନିଜ ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପୋଲିସ ସଞ୍ଜୟ ନାୟକ ନାମକ ଜଣେ ଅଭିଯୁକ୍ତକୁ ଘଟଣାସ୍ଥଳରୁ କାବୁ କରିବାରେ ସଫଳ ହୋଇଛି।
ଏହି ଘଟଣାକୁ ନେଇ ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଥାନା ଆଇଆଇସିଙ୍କ ସହ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି। ଫେରାର ଅପରାଧୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।