ମୁଖ୍ୟ ଖବର

୨୯ କୋଟିର କେଳେଙ୍କାରୀ, ପୋଲିସ ଏସ୍‌ଆଇ ପରୀକ୍ଷା ବାତିଲ: କୋଚିଂ ଆଳରେ ପ୍ରଶ୍ନପତ୍ର ଦେଇଥାନ୍ତା ଆନ୍ଧ୍ର ସଂସ୍ଥା

By Angul TV Bureau

October 01, 2025

ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପରିଚାଳିତ ପୋଲିସ ଏସ୍‌ଆଇ ପରୀକ୍ଷା-୨୦୨୪ରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଧରାପଡ଼ିଛି। କ୍ରାଇମବ୍ରାଞ୍ଚ ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ୧୫ ଲକ୍ଷ ଟଙ୍କା ଦେବାର ଡିଲ୍ ହୋଇଥିଲା। ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ପ୍ରଶ୍ନପତ୍ର ଯୋଗାଇ ଦେଉଥିବା ଅଭିଯୋଗ ସାମନାକୁ ଆସିଛି। ଏହି ଘଟଣା ପରେ ଓପିଆର୍‌ବି ପରୀକ୍ଷା ବାତିଲ କରିଛି।

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନେତୃତ୍ଵରେ ବାଲେଶ୍ଵର ଓ ବ୍ରହ୍ମପୁରରେ ତଦନ୍ତ ଜାରି ରହିଛି। ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ନେତୃତ୍ଵରେ ବୋର୍ଡ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଭିଯୋଗ ପାଇଁ ହେଲ୍‌ପଲାଇନ୍ ନମ୍ବର (୯୦୪୦୪୯୩୨୨୩) ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୨୦୨୫ରେ ପ୍ରଶ୍ନପତ୍ର ଲିକ୍‌ ହେବା ଯୋଗୁଁ ପରୀକ୍ଷା ବାତିଲ ହୋଇଥିଲା।

ସୂଚନାଯୋଗ୍ୟ, ପୋଲିସ ନିଯୁକ୍ତି ପରୀକ୍ଷା ପୂର୍ବରୁ ମଧ୍ୟ ବାତିଲ ହୋଇଥିଲା। ଏହି ପଦବି ନିମନ୍ତେ ୨୦୨୫ ଜାନୁଆରି ମାସରେ ଆବେଦନ ଆହ୍ବାନ କରାଯାଇଥିଲା | ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଦିନକ ଆଗରୁ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଥିଲା ।