ଅନୁଗୋଳ: ସାଇଲେନ୍ସର ବଦଳାଇ ବିକଟାଳ ଶବ୍ଦ କରୁଥିବା ଅମାନିଆ ବାଇକ୍ ଚାଳକଙ୍କ ବିରୋଧରେ ଅନୁଗୋଳ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏପରି ୧୫ରୁ ଅଧିକ ବାଇକ୍ ଜବତ କରାଯାଇ ଥାନାକୁ ଅଣାଯାଇଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିଥିଲା, ଯାହାଫଳରେ ଅମାନିଆ ଚାଳକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।
ପ୍ରକାଶ ଯେ, କିଛି ଯୁବକ ବାଇକ୍ର ମୂଳ ସାଇଲେନ୍ସର ବଦଳାଇ ଅଧିକ ଶବ୍ଦ ହେଉଥିବା ମଡିଫାଏଡ୍ ସାଇଲେନ୍ସର ଲଗାଉଥିଲେ। ଏହି ଗାଡ଼ିଗୁଡ଼ିକ ରାସ୍ତାରେ ଭୟଙ୍କର ଶବ୍ଦ କରି ଯିବାସମୟରେ ଅନ୍ୟ ଯାତ୍ରୀ ଓ ଗାଡ଼ି ଚାଳକମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଏହାଦ୍ୱାରା ରାସ୍ତାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିଲା। ଏହି ସମସ୍ୟା ନେଇ ସାଧାରଣରେ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ପୁଲିସର ଏହି ପଦକ୍ଷେପ ପରେ ସହରରେ ବେପରବାୟ ଗାଡ଼ି ଚାଳନା କମିବ ବେଳେ ଆଶା କରାଯାଉଛି।