ମୁଖ୍ୟ ଖବର

ପଙ୍ଗୁ ପାଲଟିଛି ଜିଲ୍ଲା କର୍ଣ୍ଣ ନାସା ବିଭାଗ: ଅସ୍ତ୍ରୋପଚାର ପାଇଁ ସରଞ୍ଜାମ ନାହିଁ

By Biswaranjan Pattnaik

October 14, 2025

ଅନୁଗୁଳ: ଗତ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଜିଲ୍ଲା କର୍ଣ୍ଣ-ନାସା-ଗଳା ବିଭାଗ ପଙ୍ଗୁ ହୋଇ ପଡ଼ିଛି। କାନକୁ ମୋବାଇଲ ଟର୍ଚ୍ଚ ମାରି ଦେଖିବା ଏବଂ ଔଷଧ ଚିଠା କରିବା ଛଡା ଏଠାରେ ଆଜିଯାଏ କିଛି ହୋଇ ପାରିଲା ନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାୟୀ ଇଏନଟି ସ୍ପେଶଲିଷ୍ଟ ନାହାନ୍ତି। ଡିଏମଏଫରେ ଯିଏ ଅଛନ୍ତି ତାଙ୍କର ହାତ ହତିଆର କିଛି ନାହିଁ। ଗୁରୁତର ରୋଗୀ ଆସିଲେ ଘରୋଇ ଡାକ୍ତରଖାନାକୁ ରେଫର କରାଯାଉଛି। ନୂଆକରି ମେଡିକାଲ କଲେଜ ଖୋଲିଥିଲେ ମଧ୍ୟ କାନର ଓଟି ପାଇଁ କିଛି ସରଞ୍ଜାମ ନାହିଁ।ଏସବୁ ସମସ୍ୟା ଦେଖିବାକୁ ଗଣ୍ଡା ଗଣ୍ଡା ଅଧିକାରୀ ଥିଲେ ବି କାହା ନଜରରେ ପଡୁ ନାହିଁ।

ଏଣେ ରୋଗୀ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଓପିଡିରେ ଦିନକୁ ତିରିଶରୁ ଶହେ ରୋଗୀ ହେଉଛନ୍ତି। ଗତ ସୋମବାର ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରୁ ଜଣେ ଯୁବତୀ କାନରେ ଯନ୍ତ୍ରଣା ନେଇ ମେଡ଼ିକାଲକୁ ଆସିଥିଲେ।ମେଡିକାଲ ଓପିଡିରେ ଥିବା ଆସିଷ୍ଟାଣ୍ଟ ପ୍ରଫେସର ଡ଼ା କମଳାକାନ୍ତ ଜେନା ପରୀକ୍ଷା କରି ଦେଖିଲେ ଉକ୍ତ ଯୁବତୀଙ୍କ କାନ ପରଦାରେ ଟିଙ୍କ ଲାଗିଛି। ହେଲେ କାଢ଼ିବାବପାଇଁ କିଛି ସାଧନ ନାହିଁ।ଅତି ଗରିବ ଶ୍ରେଣୀର ହୋଇଥିବାରୁ ରୋଗୀ କେଉଁ ଘରୋଇ କ୍ଲିନିକ୍ କୁ ଯାଇ ପାରିବ ନାହିଁ। ଶେଷକୁ ଡାକ୍ତର ଜେନା ଦୟା ପରବଶ ହୋଇ ଘରୁ ଫୋର୍ସେପ ଓ ଅନ୍ୟାନ୍ୟ ଯନ୍ତ୍ରପାତି ମଗାଇ ଟିଙ୍କକୁ ବାହାର କରିଥିଲେ। ଇଏନ୍ଟି ବିଭାଗର ଏଭଳି ଶୋଚନୀୟ ଅବସ୍ଥା ବାବଦରେ ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳ କହିଲେ କି କର୍ଣ୍ଣ-ନାସା-ଗଳା ବିଭାଗର ଓଟି ନେଇ ଆବଶ୍ୟକ ସମସ୍ତ ସରଞ୍ଜାମ ଡିଏମଏଫ ପାଣ୍ଠିରୁ କିଣାଯିବା ବୋଲି ନିଷ୍ପତ୍ତି ହୋଇଛି।ଖୁବଶିଘ୍ର ଏହା କିଣାଯିବ। ଦେଖା ଯାଉ ଇଏନଟି ବିଭାଗର ହାଲତ କେବେ ବଦଳୁଛି।