ମୁଖ୍ୟ ଖବର

ସାମାଜିକ ବାସନ୍ଦର କରୁଣ ଚିତ୍ର! ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ, ଜେସିବିରେ ଗଲା ଶବ

By Angul TV Bureau

February 03, 2026

ଅନୁଗୁଳ: ସମାଜ କ’ଣ ଏତେ ନିଷ୍ଠୁର ହୋଇପାରେ? ଯେଉଁ ମାଟିରେ ଜନ୍ମ, ସେଇ ମାଟିର ମଣିଷଙ୍କ କାନ୍ଧ ଟିକେ ପାଇବା ପାଇଁ ଜଣେ ମୃତକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ପାଳଲହଡ଼ା ପେଚାମୁଣ୍ଡି ପଞ୍ଚାୟତର ଶିମିଳିପାଳ ଗ୍ରାମରେ ଘଟିଥିବା ଏହି ଦୃଶ୍ୟ ଆଜି ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେଇଛି।

ଖଗେଶ୍ୱର ଗୁରୁ ଦୀର୍ଘ ଦିନ ଧରି ରୋଗ ସହ ଲଢ଼ି ଶେଷରେ ଆଖି ବୁଜିଲେ। ହେଲେ ଦୁର୍ଭାଗ୍ୟର ବିଷୟ, ସାମାଜିକ କଟକଣାର କଳା ପାଚେରୀ ଏତେ ଉଚ୍ଚ ଥିଲା ଯେ ପଡ଼ୋଶୀ କି ସାହି ଭାଇ କେହି ହେଲେ ମୃତଦେହ ଛୁଇଁବାକୁ ଆଗେଇ ଆସିଲେ ନାହିଁ। ଘରେ ଥିଲେ ଜଣେ ଦୂରାସାଧ୍ୟ ରୋଗରେ ଶଯ୍ୟାଶାୟୀ ପୁଅ ଏବଂ ଅସହାୟ ଝିଅ। ବାପାର ଶବ ପାଖରେ ବସି କାନ୍ଦିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନଥିଲା।

ଶେଷରେ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଏହି ଦୁଃଖଦ ଖବର ମିଳିବା ପରେ ସେ ସେଠାରେ ପହଞ୍ଚିଥିଲେ। ଯେଉଁଠି ମଣିଷର କାନ୍ଧ ମିଳିଲା ନାହିଁ, ସେଠାରେ ଏକ ଜେସିବି ମେସିନ ସାହାଯ୍ୟରେ ଖଗେଶ୍ୱରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଗଲା। ପରିବାରର ଲୁହ ପୋଛିବାକୁ ଯାଇ ସରପଞ୍ଚ ଆର୍ଥିକ ସହାୟତା ପ୍ରଦାନ କରିବା ସହ ନିଜେ ସବୁ କାର୍ଯ୍ୟ ତୁଲାଇଥିଲେ। ବ୍ଲକ ଅଧ୍ୟକ୍ଷା ମଧ୍ୟ ପରିବାରକୁ ଭେଟି ସରକାରୀ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ସରପଞ୍ଚଙ୍କ ଏହି ମହାନତା ଆଜି ସମାଜର ଅନ୍ଧ ନିୟମ ଉପରେ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି।