ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ହୁଙ୍କା ପିଟା କାମ! ମାତ୍ର ଫୁଟେ ଖୋଲି ବିଛାଉଛି ପାଣି ପାଇପଲାଇନ, ଭୟଙ୍କର ବିପଦକୁ ଦେଉଛି ନିମନ୍ତ୍ରଣ!

By Angul TV Bureau

October 11, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ହୁଙ୍କା ପିଟା କାମର ଆଉ ଏକ ନମୁନା ଏବେ ସାମ୍ନାକୁ ଆସୁଛି। ବିଭାଗ ପକ୍ଷରୁ ସହରରେ ପାଣି ପାଇପ ଲାଇନ ବିଛା ହେଉଛି। କିନ୍ତୁ ନିୟମ ଅନୁସାରେ ଏହି ପାଇପ ବିଛା ଯାଉ ନଥିବା ଅଭିଯୋଗ ହେଉଛି। ପାଇପକୁ ରାସ୍ତାରେ ମନ ଇଚ୍ଛା ବିଛା ଯାଉଛି। ଖୋଳିବାକୁ ପଡ଼ିବ ବୋଲି ଗାନ୍ଧୀ ମାର୍ଗ ରାସ୍ତାରେ ମାତ୍ର ଫୁଟେ ତଳେ ଏହି ପାଇପ ବିଛାଉଛନ୍ତି ବିଭାଗୀୟ ଯନ୍ତ୍ରୀ। ଫଳରେ ଅଳ୍ପ କିଛି ଦିନ ଭିତରେ ଚାପ ପଡ଼ି ପାଇପ ଫାଟିବା ଆଶଙ୍କା ପ୍ରକାଶ ପାଇଛି। ଗାନ୍ଧୀ ମାର୍ଗ ଅଞ୍ଚଳରେ ଏହି ପାଇପ ଅନିୟନ୍ତ୍ରିତ ୱାଟର ପ୍ରେସର୍,ନିମ୍ନମାନର ପାଇପ ଅବା କେବୁଲ୍ ବିଛା ବେଳେ ତ୍ରୁଟିପୂର୍ଣ୍ଣ ଖୋଳା ଯୋଗୁଁ ଅନେକ ସମୟରେ ପାଣି ପାଇପ ଫାଟୁଥିବା ନଜିର ରହିଛି। ଫଳରେ ସହରବାସୀ ହନ୍ତସନ୍ତ ହେଉଛନ୍ତି। ତଥାପି ବିଭାଗ ଚେତିବା ବଦଳରେ ମନ ଇଚ୍ଛା ପାଇପ ବିଛାଇ ଚାଲିଛି।

ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାଳନ୍ଦୀ ଚରଣ ସାମଲଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ। ଆଉ ମାତ୍ର ଏକ ଫୁଟ ତଳେ ପାଇପ ଲାଇନ୍ ବିଛା ଦ୍ଵାରା ବର୍ଷା ଦିନେ ମାଟି ଦବିବା ସହ ଭାରିଯାନ ଚଳାଚଳ ଯୋଗୁଁ ପାଇପଲାଇନ ଫାଟିବା ଥୟ ବୋଲି କହିବାରୁ ଯନ୍ତ୍ରୀ ହଡ଼ବଡ଼େଇ ପଳାଇଥିଲେ।

ଅନ୍ୟପଟେ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ଏ ବାବଦରେ ପଚାରିବାରୁ ସେ ଭୁଲ ମାନିବେ କଣ ଓଲଟା ଯୁକ୍ତି କରିଥିଲେ। ସେ କହିଥିଲେ, ପାଇପ ଲାଇନ୍ ରାସ୍ତାର ବାମ କିମ୍ବା ଡାହାଣ ପଟେ ଯାଉ,ଯେତେ ଗଭୀରରେ ଯାଉ ଆପଣଙ୍କ କଣ ଅସୁବିଧା ହେଉଛି ବୋଲି ଓଲଟା ପ୍ରଶ୍ନ କରିଥିଲେ। ତେବେ ଜନସ୍ଵାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଏଭଳି ମୂର୍ଖାମୀ ଯୋଗୁ ସାଧାରଣ ଜନତା ଯେ ହଇରାଣ ହେବେ ତାହା ଜଳଜଳ ହୋଇ ଦିଶୁଥିବା ନେଇ ବୁଦ୍ଧିଜୀବୀ ମତ ଦେଇଛନ୍ତି।