ମୁଖ୍ୟ ଖବର

ଅନୁଗୁଳରେ ଚୁଲିକୁ ଯାଇଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା: ଆବଶ୍ୟକ ୫୧୨ ଶିକ୍ଷକ, ଅଛନ୍ତି ୩୫୯

By Angul TV Bureau

March 04, 2025

ଅନୁଗୁଳ: ଶିଳ୍ପରେ ଏକ ନମ୍ୱର ଥିବା ଅନୁଗୁଳରେ ପାଠ ଘର ଶୂନ। ଏଠାରେ କଳକାରଖାନା ସଂଖ୍ୟା ବଢ଼ୁଥିବା ବେଳେ ଶିକ୍ଷା ବ୍ୟବସ୍ଥା କିନ୍ତୁ ତଳ ମୁହାଁ। ଜିଲ୍ଲାରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନୁଗୁଳରେ ଅଧିକାଂଶ ପ୍ରାଥମିକ ସ୍କୁଲରେ ଶିକ୍ଷକ ନାହାନ୍ତି। ଫଳରେ ଅନେକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବା ବନ୍ଦ କରିଦେଲେଣି। ଆଉ ବାକି ବିଦ୍ୟାଳୟ ମାତ୍ର ଦୁଇ – ତିନି ଜଣ ଶିକ୍ଷକଙ୍କ ଭରସାରେ।

ଜିଲ୍ଲା ଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ମୋଟ ୧୧୮୮ଟି ବିଦ୍ୟାଳୟ ରହିଛି। ଏଥି ମଧ୍ୟରୁ ୬୯୧ଟିରେ ପ୍ରଥମରୁ ପଞ୍ଚମ ଯାଏଁ ଶିକ୍ଷାଦାନ କରାଯାଉଛି। ସେହିପରି ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀକୁ ନେଇ ୪୯୭ଟି ବିଦ୍ୟାଳୟ ରହିଛି। ଏସବୁ ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକଙ୍କ ମରୁଡ଼ି ପଡ଼ିଛି। ଶିକ୍ଷକ ମରୁଡ଼ିର ମୁଖ୍ୟ କାରଣ ହେଉଛି, ଯେଉଁ ଶିକ୍ଷକ ଯୋଗ ଦେଉଛନ୍ତି, ପରେ ସେମାନେ ହାଇସ୍କୁଲ କିମ୍ବା ଅନ୍ୟ କୌଣସି ବିଭାଗରେ ନିଯୁକ୍ତି ପାଇ ଚାକିରି ଛାଡ଼ି ଦେଉଛନ୍ତି।

ଶିକ୍ଷକ ଅଭାବ ପୂରଣ କରିବାକୁ ରାଜ୍ୟ ସରକାର ୨୦୨୪ ମସିହାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଆହ୍ୱାନ ଦେଇଥିଲେ। ଏଥି ମଧ୍ୟରୁ ଅନୁଗୁଳ ଜିଲ୍ଲା ପାଇଁ ୫୧୨ ଶିକ୍ଷକ ପଦ ଅନୁମୋଦନ ହୋଇ ରହିଥିଲା। ଏଥି ପାଇଁ ୪୨୪ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସମଗ୍ର ଶିକ୍ଷା ବିଭାଗ ଏହି ପ୍ରାର୍ଥୀଙ୍କୁ ଚୁକ୍ତିନାମା କରିବା ପାଇଁ ଇଣ୍ଟିମେସନ ଦେଇଥିଲା। କିନ୍ତୁ ଚୁକ୍ତିନାମା କରିବା ପାଇଁ ଆସିଲେ ମାତ୍ର ୩୫୩ ଜଣ। ୨୦୨୪ ଅକ୍ଟୋବର ସୁଦ୍ଧା ଏହି ଶିକ୍ଷକ ମାନେ ଅନୁଗୁଳ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏବେ ସେମାନେ ଆଲର୍ଟ ହୋଇଥିବା ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ତଥାପି ଏବେ ଯାଏଁ ଶିକ୍ଷକ ଅଭାବ ପିଛା ଛାଡୁନି। ଏବେ ବି ୧୫୯ ଜଣ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୩୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ଶିକ୍ଷକ ନିଯୁକ୍ତି  ଆବଶ୍ୟକ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୩୫ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ଲେଖାଏଁ ଶିକ୍ଷକ ରହିବା ନିୟମ ରହିଛି। କିନ୍ତୁ ସବୁ ନିୟମ ଏଠାରେ ଚୁଲିକୁ ଯାଇଛି।