ମୁଖ୍ୟ ଖବର

ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ୨୯ରୁ ବସ ଚଳାଚଳ ବନ୍ଦ

By Angul TV Bureau

July 22, 2025

ଅନୁଗୁଳ: ରାସ୍ତା ମରାମତି ନ ହେଲେ ଗଡିବନି ବସ୍। ଏମିତି କିଛି ଦାବି ନେଇ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଭାୟା ବହ୍ଲର ରାସ୍ତା ଅବସ୍ଥା ଶୋଚନୀୟ। ତାଳଚେରରୁ ଯାଉଥିବା ବସ୍ ଗୁଡିକର ସମୟ ସାରଣୀ ଅନୁସାରେ ଚଳାଚଳ କରିପାରୁ ନାହିଁ ଏବଂ ରାସ୍ତା ଅତ୍ୟନ୍ତ ଖରାପ ଯୋଗୁଁ ବସ୍ ଗୁଡ଼ିକର ଯନ୍ତ୍ରାଂଶ ବି ଖରାପ ହେଉଛି। ତାଳଚେର ବସ୍ ଗୁଡିକ ଅନ୍ୟ ଷ୍ଟାଣ୍ଡରେ ସମୟ ସାରଣୀ ଅନୁସାରେ ପହଂଚି ନପାରିଲେ ଯାତ୍ରୀ ଉଠାଇପାରୁ ନାହାନ୍ତି। ଫଳରେ କ୍ଷତି ସହୁଛନ୍ତି। ଏଣୁ ୨୯ ତାରିଖରୁ ଆଉ ବସ ଗଡ଼ିବ ନାହିଁ।

ତାଳଚେର ବସ୍ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣିଙ୍କ ନେତୃତ୍ୱରେ ବସ୍ ମାଲିକ ମାନେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ସଂପାଦକ ସୁରେଶ ଚନ୍ଦ୍ର ସାହୁ, ମଦନ ମୋହନ ମହାନ୍ତି, ତୁଷାର ପଟ୍ଟନାୟକ, ନରେଶ ଚନ୍ଦ୍ର ସାହୁ, ଅବିନାଶ ସାହୁ, ସୁଧାଂଶୁ ଶେଖର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।