ମୁଖ୍ୟ ଖବର

କାନ୍ଦୁଛି କୁରୁଡ଼ୁ, ଶୁଣୁନି ସରକାର: ୮ ମାସ ଗଲାନି ୮ ଲକ୍ଷ ଟଙ୍କାର ରାସ୍ତା, ଲୁଟି ଖାଇଗଲେ ସରକାରୀ ଅର୍ଥ

By Angul TV Bureau

August 06, 2025

ଅନୁଗୁଳ: ସରକାର କା ମାଲ, ଦରିଆ ମେ ଡାଲ। ଅନୁଗୁଳ ବ୍ଲକ ମାଣିକିଯୋଡି ପଞ୍ଚାୟତ କୁରୁଡୁ ଗାଁ ରାସ୍ତା ଦେଖିଲେ ସେମିତି କିଛି ଅନୁମେୟ ହୁଏ। ଗାଁ ଲୋକଙ୍କ ଗମନାଗମନ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ରାସ୍ତା ତିଆରି କରାଗଲା। ହେଲେ ଦୁର୍ଭାଗ୍ୟର କଥା, ୮ ମାସ ବି ତିଷ୍ଠିଲାନି ସେ ରାସ୍ତା।

ଏଇ ରାସ୍ତା ସମସ୍ୟା ପାଇଁ ମାଣିକଯୋଡି ପଞ୍ଚାୟତର କୁରୁଡୁ ଗାଁର ପ୍ରାୟ ୪୦ରୁ ୩୫ ପରିବାର ଭିଟାମାଟି ଛାଡ଼ିଥିଲେ। ଗମନାଗମନ ସହ ଅନ୍ୟାନ୍ୟ ସୁବିଧା ମିଳିପାରୁନଥିବାରୁ କେହି ଗାଁରେ ରହିବାକୁ ଇଚ୍ଛା କରୁନଥିଲେ। ଏବେ ଗାଁରେ ମାତ୍ର ୫ଟି ପରିବାର ଅଛନ୍ତି। ଆଶାଥିଲା ନୂଆ ରାସ୍ତା ହେଲେ ପୁଣି ଘରକୁ ଫେରିବେ ଗାଁ ଲୋକ। ହେଲେ ରାସ୍ତା ନିର୍ମାଣ ହେଉ ହେଉ ମୋରମ୍ ଉଠିଗଲାଣି। ଫଳରେ ଗ୍ରାମବାସୀ ଯୋଉ ଅସୁବିଧାରେ ଯାତାୟାତ କରୁଥିଲେ ସେଥିରେ ବ୍ରେକ ଲାଗିଲାନି।

ତେବେ ଗାଁରେ କିଛି ବର୍ଷ ହେଲା ଏକ ଗୋଶାଳା ତିଆରି ହୋଇଛି। ସେଠାକୁ ଅନୁଗୁଳ ସହର ସମେତ ମହୀଧରପୁର, ବନ୍ତଳା, ପୁରୁଣାଗଡ଼ ଅଞ୍ଚଳର ଲୋକମାନେ ଯାଉଛନ୍ତି। ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ୮ ଲକ୍ଷ ଟଙ୍କା ବ୍ୟୟରେ କୁଲାସିଂହା ଠାରୁ କୁରୁଡୁକୁ ରାସ୍ତା ପାଇଁ ମୋରମ ପଡିଥିଲା। କିନ୍ତୁ କାମ ନିମ୍ନମାନର ହୋଇଥିବାରୁ ରାସ୍ତାର ଅବସ୍ଥା ଏବେ ଶୋଚନୀୟ। ୮ ଲକ୍ଷ ଟଙ୍କାର ରାସ୍ତା ୮ ମାସ ଯାଇନଥିବା ବେଳେ ସରକାରୀ ଅର୍ଥ ଧୋଇ ହୋଇଯାଇଛି।

ଏସମ୍ପର୍କରେ ପଞ୍ଚାୟତ ଅଫିସର ଦିଲେଶ୍ଵର ମାଝୀ ମୁହଁ ଖୋଲୁନାହାନ୍ତି। ସେହିଭଳି ଅନୁଗୁଳ ବିଡିଓ ବିଶ୍ଵଭୂଷଣ ଫୋନ୍ ରିସିଭ କରୁନାହାନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ ପାଇଁ କୁରୁଡୁ ଗ୍ରାମବାସୀ ଦାବି କରିଛନ୍ତି।