ମୁଖ୍ୟ ଖବର

ଶିକ୍ଷକପଡ଼ା ରାସ୍ତା କାଦୁଅ ପଚପଚ, ଆଣ୍ଠୁଏ ପଙ୍କରେ ପଶି ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକ

By Angul TV Bureau

August 02, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଆଠମଲ୍ଲିକ ଓଭର ବ୍ରିଜ ଠାରୁ ଶିକ୍ଷକପଡା ଦେଇ ସାନଗୋବିନ୍ଦପୁର ଯାଇଥିବା ରାସ୍ତାର ଦୁର୍ଦ୍ଦଶା କହିଲେ ନ ସରେ। ଏବେ ବର୍ଷା ଦିନ ଚାଲିଥିବାରୁ ରାସ୍ତାଟି କାଦୁଅ ପଚପଚ ହୋଇଯାଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ପିଚୁ ପକାଇବାକୁ କହିଲେ ବି କେହି ଶୁଣୁ ନାହାନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ରାସ୍ତା ରେଳ ବିଭାଗ ଅଧୀନରେ ଆସୁଛି। ଏହି ରାସ୍ତା ଉପରେ ଶିକ୍ଷକପଡା, ଦାଦରସାହି, ବଡ଼ହୁଲା, ସାନଗୋବିନ୍ଦପୁର ଗ୍ରାମବାସୀ ଯାତାୟାତ କରୁଛନ୍ତି। ମୁଖ୍ୟ ରାସ୍ତା ଠାରୁ ୫୦୦ ମିଟର ପର୍ଯ୍ୟନ୍ତ ମାଟି ରାସ୍ତା ରହିଛି, ଯାହା ସାମାନ୍ୟ ବର୍ଷା ହେଲେ କାଦୁଅ ହୋଇଯାଏ। ଆଣ୍ଠୁଏ କାଦୁଅରେ ଲୋକ ପାଦରେ ବି ଚାଲି ଚାଲି ଯାଇପାରନ୍ତି ନାହିଁ। ଏମିତିରେ ଗାଡ଼ି ଓ ସାଇକେଲରେ ଯାଉଥିବା ଲୋକଙ୍କ ଅବସ୍ଥା ଯାହା ହେଉଥିବ, ତାହା ସହଜରେ ଅନୁମେୟ। ରାସ୍ତାକୁ ପିଚୁ କରିବା ପାଇଁ ବଇଣ୍ଡା ଗ୍ରାମବାସୀ ଗତ ମାର୍ଚ୍ଚ ୧୬ ରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ ମଧ୍ୟ ଆଜି ଯାଏଁ ସୁଫଳ ମିଳିନାହି। ତୁରନ୍ତ ଏଥି ପ୍ରତି ରେଳ ବିଭାଗ ଓ ପଞ୍ଚାୟତ ବିଭାଗ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି।