ମୁଖ୍ୟ ଖବର

ଶୈଶବ ଶିକ୍ଷା ବାଟବଣା, ସମସ୍ୟା ଘେରରେ ଅଙ୍ଗନବାଡ଼ି

By Angul TV Bureau

November 03, 2025

ଅନୁଗୁଳ: ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ ସରକାର ଅଙ୍ଗନବାଡ଼ି ବ୍ୟବସ୍ଥା କରିଥିବାବେଳେ ଅନୁଗୁଳ ବ୍ଲକ୍‌ର ବଡ଼କେରା, ମାଟିଆସାହି, ଶରଧାପୁର ଓ ମାଣିକଯୋଡ଼ି ଅଞ୍ଚଳରେ ଭିତ୍ତିଭୂମିର ଅଭାବ ଯୋଗୁଁ ଶୈଶବ ଶିକ୍ଷା ବାଟବଣା ହେଉଛି। କେତେକ କେନ୍ଦ୍ର ଗାଁ କୋଠଘରେ ଚାଲୁଛି, ଆଉ କେତେକରେ ରୋଷେଇ ଓ ପାଠପଢ଼ା ଗୋଟିଏ ଘରେ ହେଉଛି। କିଛି ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ବିନା ଚାଲିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼କେରାରେ ୯ଟି, ମାଟିଆସାହିରେ ୧୦ଟି, ଶରଧାପୁରରେ ୪ଟି ଓ ମାଣିକଯୋଡ଼ିରେ ୬ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡା କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ଗାଁ କ୍ଲବ୍ ଘରେ ପାଠପଢ଼ା ହେଉଛି। ଦୀର୍ଘ ୯ ବର୍ଷ ହେଲା ରୋଷେଇ ସୁବିଧା ନଥିବାରୁ କାଠଗଦା ପାଖରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। କାଠଗଦାରେ ସରୀସୃପ ରହୁଥିବାରୁ ଶିଶୁଙ୍କ ଜୀବନ ବିପଦରେ ରହୁଛି। ତୁମୁଣୀ କେନ୍ଦ୍ରରେ ରୋଷେଇ ଘର ନଥିବାରୁ ପାଠପଢ଼ା ଘରେ ରୋଷେଇ ହେଉଛି। ଦଳବେହେରା ସାହି ନିକଟ ଚଷା ସାହି କେନ୍ଦ୍ର କୋଠଘରେ ଚାଲୁଛି ଏବଂ କର୍ମୀ ଓ ପିଲା ଉପସ୍ଥିତ ନଥିବାରୁ ଶିକ୍ଷାଦାନରେ ବ୍ୟାଘାତ ହେଉଛି। ସାହିର ସାମୁହିକ କାର୍ଯ୍ୟ ହେଲେ କୋଠଘର ବ୍ୟବହାର ହେଉଥିବାରୁ ଅସୁବିଧା ସୃଷ୍ଟି ହେଉଛି।

ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିଶୁଙ୍କ ଜୀବନ ବିପଦରେ ରହିଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ଏ ନେଇ ଅନୁଗୁଳ ବିଡ଼ିଓ ବିଶ୍ୱ ଭୂଷଣଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।