ମୁଖ୍ୟ ଖବର

ବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

By Biswaranjan Pattnaik

May 05, 2025

ଅନୁଗୁଳ: ବାପା ପେଟ ଚାଖଣ୍ଡକ ପାଇଁ ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସି ଅନୁଗୁଳରେ ସପରିବାର ରହି ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ। ନିକଟରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ଝିଅ କିନ୍ତୁ ୯୩.୩୩ ପ୍ରତିଶତ ନମ୍ବର ରଖି କେବଳ ପରିବାର କି ସ୍କୁଲକୁ ଗୌରବାନ୍ଵିତ କରି ନାହାନ୍ତି ସମଗ୍ର ଜିଲ୍ଲାରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଥାନା ଷୋରିଷମୁଳି ଗାଁର ବସନ୍ତ ବାରିକ ଆଜକୁ ପ୍ରାୟ ୪୦ ବର୍ଷ ତଳେ ନିଜ ଭିଟା ମାଟି ଛାଡ଼ି କାମ ସନ୍ଧାନରେ ଅନୁଗୁଳକୁ ବାଛି ନେଇଥିଲେ। ସ୍ତ୍ରୀ ଲକ୍ଷ୍ମୀ ବାରିକ ଗୃହିଣୀ। ଅନୁଗୁଳ କୁମଣ୍ଡ ସାହୁପଡ଼ା ନିକଟରେ ଏକଚାଳିଆ ଆଜବେଷ୍ଟସ ଭଡ଼ା ଘରେ ରହନ୍ତି ବସନ୍ତଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ। ବଡ଼ ପୁଅ ଡିଗ୍ରୀ ହାସଲ କରିଛି,ବଡ଼ ଝିଅ ଡିଗ୍ରୀ ପଢୁଛି। ସାନ ଝିଅ ରଶ୍ମିତା ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ।ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରଶ୍ମିତା କହିଥିଲେ। ବାପା ମୂଲ ଲାଗି ବଡ଼ କଷ୍ଟରେ ଆମ ପରିବାର ଚଳାନ୍ତି। ମୁଁ ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବି ବୋଲି ଲକ୍ଷ୍ୟ ରଖିଛି। ଜଣେ ଆଦର୍ଶ ଶିକ୍ଷକ ସମାଜ ପାଇଁ ଅନେକ ଡାକ୍ତର, ଇଞ୍ଜିନିୟର, ଖେଳାଳି, ଜଜ୍ ଗଢିଥାଏ। ମୁଁ ଦିନକୁ ସାତ-ଆଠ ଘଣ୍ଟା ପରିଶ୍ରମ କରୁଥିଲି। ସଫଳତା ପାଇଁ ମୋ ବାପା-ମା ଭାଇ-ଭଉଣୀ ଏବଂ ସର୍ବୋପରି ଈଶ୍ବରଙ୍କ ଆଶୀର୍ବାଦ ରହିଛି।

ଯୁକ୍ତ ଦୁଇରେ ବିଜ୍ଞାନ ବିଷୟ ନେଇ ପଢିବି। ପରିବାର, ସ୍କୁଲ ଓ ଜିଲ୍ଲାର ଟେକ ରଖି ଥିବାରୁ ବହୁତ ଖୁସି ଲାଗୁଛି। ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ମାନେ ମଧ୍ୟ ମୋତେ ବହୁ ସମୟରେ ସାହାଯ୍ୟ ସହଯୋଗ କରି ଆସିଛନ୍ତି ମୁଁ ସେମାନଙ୍କ ଋଣ ଜୀବନରେ ଭୁଲି ପାରିବି ନାହିଁ ବୋଲି କହିଛନ୍ତି ରଶ୍ମିତା।