ମୁଖ୍ୟ ଖବର

ବିଦ୍ୟାଳୟମୁଖୀ ହେବେ ବଣ-ପାହାଡ଼ ଘେରା ଅଞ୍ଚଳର କୋମଳମତି ଶିଶୁ: ସିବିଡ଼ାରେ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ କାର୍ଯ୍ୟକ୍ରମ

By Angul TV Bureau

April 10, 2026

ଅନୁଗୁଳ: ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ସାର୍ବଜନୀନ ନାମଲେଖା ଓ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟମୁଖୀ କରିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକର ସିବିଡା କନ୍ୟାଶ୍ରମଠାରେ ଏକ ଭବ୍ୟ ‘ଶିକ୍ଷା ମହାସଭା’ ଅନୁଷ୍ଠିତ ହୋଇଯାଇଛି। “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି କୁନି ଶିଶୁଙ୍କୁ ସ୍ନେହ ଓ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଗ୍ରାମରେ ଶିକ୍ଷା ସଚେତନତା ରାଲି ସହ ପାଲା, ଆଦିବାସୀ ନୃତ୍ୟ ଓ ସର୍ଗିଫୁଲ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଳଲହଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟବାଦୀ ସାମଲ, ସ୍ଥାନୀୟ ସରପଞ୍ଚ ଏବଂ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ବରଡିହ ଓ ନଗିରା ପଞ୍ଚାୟତର ପ୍ରାୟ ୩୦୦ରୁ ଅଧିକ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ଶେଷରେ ପ୍ରଧାନ ଶିକ୍ଷକ ପୁଟୁ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିଯାନ ‘ସମସ୍ତଙ୍କ ପାଇଁ ଶିକ୍ଷା’ ସଂକଳ୍ପକୁ ସାକାର କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।