ଅନ୍ୟାନ୍ୟ

ମଦମୁକ୍ତ ଓଡିଶା ଘୋଷଣା ଦାବୀରେ ପ୍ରଭାତ ଫେରୀ

By Angul TV Bureau

November 22, 2021

ଅନୁଗୁଳ : ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ରବିବାର ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାକୁ କରାଯାଇଛି। ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ଶାସନ କାଳରେ ନିଶା ନିବାରଣ ଆଇନ ଆଣିବା ପାଇଁ ଏକ ବିଲ୍ ଆଣିଥିଲେ ଯାହା ରାଜନୈତିକ ଅଭିସନ୍ଧି କାରଣରୁ ପାରିତ ହୋଇପାରି ନଥିଲା। ତେବେ ପରବର୍ତ୍ତୀ ସମୟରେ ଶାସନ ଗାଦିରେ ଯେଉଁ ସରକାର ବି’ କ୍ଷମତାକୁ ଆସିଲେ ମଧ୍ୟ ଆଜି ଯାଏଁ ନିଶା ନିବାରଣ ଆଇନ ଲାଗୁ କରିବାର ଆନ୍ତରିକତା ଦେଖାଇଲେ ନାହିଁ। ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ଦାବିରେ ନବକୃଷ୍ଣ ଚୌଧୁରଙ୍କ ନାମରେ ଥିବା ଅନୁଗୁଳ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରୁ ଏକ ପ୍ରଭାତ ଫେରି ଶୋଭାଯାତ୍ରା ବାହାରି ନବକୃଷ୍ଣ ଚୌଧୁରୀଙ୍କ କର୍ମ ଭୂମି ବାଜିରାଉତ ଛାତ୍ରବାସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନଚର୍ଯ୍ୟା ଓ ଶାସନ ଧାରା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ସଭାରେ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନ ଯାପନ ଏବଂ ତାଙ୍କ ଦ୍ବାରା ପ୍ରସ୍ତାବିତ ନିଶା ନିବାରଣ ଆଇନ ପ୍ରସଙ୍ଗରେ ବକ୍ତବ୍ୟ ରଖାଯାଇଥିଲା। ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଅନୁଗୁଳ ମଦମୁକ୍ତ ଯୁବ ବାହିନୀର ଆବାହକ ପର୍ଶୁରାମ ଦାଶ ପରିଚାଳନା କରିଥିବା ବେଳେ କିଶୋର ପ୍ରଧାନ, ଚିଣ୍ଟୁ ସାହୁ, ଦୀପକ ସାହୁ, ସ୍ବରୂପ ସିହ୍ନା, ଆଦିତ୍ୟ ପ୍ରସାଦ ମିଶ୍ର, ଦିଗବିଜୟ ସାହୁ,ହିମାଂଶୁ ନାଥ,ଦିବ୍ୟଜ୍ୟୋତି ନାୟକ ଲୁବେନ ସାହୁ ପ୍ରମୁଖ ସହଯୋଗ କରିଥିଲେ।