ମୁଖ୍ୟ ଖବର

ମାଟ୍ରିକରେ ଉତ୍ତମ ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ, ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ରଖିଛନ୍ତି ଆଶା

By Biswaranjan Pattnaik

May 26, 2023

ଅନୁଗୁଳ: ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ରୁ ମୋଟ ୩୪୬ ନମ୍ବର ରଖି ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଣୁ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମିଳାଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇ ଥିଲେ। ସୂଚନାଯୋଗ୍ୟ ଯେ ଗୁରୁବାରୀ ମୁଣ୍ଡା ଓ ନିର ମୁଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ପ୍ରମିଳା। ତାଙ୍କ ତଳେ ଆଉ ଦୁଇ ଜଣ ସାନ ଭାଇ ଅଛନ୍ତି। ପ୍ରମିଳା ଷଷ୍ଠ ଶ୍ରେଣୀରେ ପଢୁଥିଲାବେଳେ ସ୍କୁଲ ଛୁଟି ପରେ ଡେରା ଓଭର ବ୍ରିଜ ତଳେ ରେଳ ଲାଇନ ଅତିକ୍ରମ କରୁଥିବା ସମୟରେ ରେଳ ଦୁର୍ଘଟଣାରେ ତାଙ୍କର ଡାହାଣ ପାଖ ଗୋଡ଼ଟି କଟି ଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ କଟକ ଏସ ସି ବି ମେଡିକାଲରେ ଚିକିତ୍ସା କରାଯାଇଥିଲା। ସମାଜ ମଙ୍ଗଳ ବିଭାଗ ତରଫରୁ ତାଙ୍କର ଦୁଇଥର କୃତ୍ରିମ ଗୋଡ଼ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ତାଳଚେରର ସମାଜସେବୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ପ୍ରଚେଷ୍ଟା ବଳରେ ଏସବୁ ସମ୍ଭବ ହୋଇପାରିଛି। ତେବେ ଭବିଷ୍ୟତରେ ପ୍ରମିଳା ଜଣେ ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଥିବା କହିଛନ୍ତି।