ମୁଖ୍ୟ ଖବର

ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସାମାଜିକ ସୁରକ୍ଷା ମଞ୍ଚ

By Swagatika Samantray

October 17, 2023

ଅନୁଗୁଳ: ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ ନେତୃତ୍ବରେ ହାତୀ ଉପଦ୍ରବ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିରେ ଦୁଇ ଦିନଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଚାଲିଥିବା ଗଣଧାରଣା ଆଜି ପ୍ରତ୍ୟାହୃତ ହୋଇଛି। ଜିଲ୍ଲା ପ୍ରଶାସନର ଆହ୍ବାନକ୍ରମେ ଆଜି ଅପରାହ୍ନରେ ଅନୁଗୁଳ ଡି.ଏଫ୍.ଓଙ୍କ କାର୍ଯ୍ୟାଳୟରେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚର କାର୍ଯ୍ୟକାରୀ ସଭାପତି ତପନ କୁମାର ଦେହୁରୀଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ। ବନ୍ତଳା ଅଞ୍ଚଳରୁ ଯେପରି ଆଗାମୀ ଦିନରେ ହାତୀ ଆକ୍ରମଣରେ ଜଣେ ମଧ୍ୟ ମଣିଷର ଜୀବନ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡି.ଏଫ୍.ଓ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଫସଲ କ୍ଷତିପୂରଣ ରାଶି ବୃଦ୍ଧି କରିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବା ସହ ଏହାକୁ ଆଗାମୀ ଦିନରେ ବୃଦ୍ଧି କରିବାକୁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବାକୁ ଜଙ୍ଗଲ ବିଭାଗ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ଲକ୍ଷ୍ମଣ ସାହୁ, ଉପଦେଷ୍ଟା ନିରଞ୍ଜନ ଦେହୁରୀ, ଦୁର୍ଗାଚରଣ ପ୍ରଧାନ, ସାଧାରଣ ସମ୍ପାଦକ ହରେକୃଷ୍ଣ ପ୍ରଧାନ, ଧୁକୁଟା ସରପଞ୍ଚ ସତ୍ୟାନନ୍ଦ ସାହୁ, ଉପ-ସଭାପତି କମ୍ବୁପାଣି ନାଏକ, ଖିଣ୍ଡା ସରପଞ୍ଚ ସୁଶାନ୍ତ ପ୍ରଧାନ, ମଞ୍ଚ ସଭାପତି ମହେଶ ସାହୁ, ସଂଜୟ ଦେହୁରୀ, ଶିବରାମ ଦେହୁରୀ, ଯତୀନ୍ଦ୍ର ପ୍ରଧାନ, ହେମନ୍ତ ମହାଳିକ, ରାକେଶ ମିଶ୍ର, ସଂଜୟ ସାହୁ, ମନ୍ଦୋଦରୀ ଓ ରାଉଳ ମାନସ ପାଳ ପ୍ରମୁଖ ଉପସ୍ଥିତ ଥିଲେ।