ଅନୁଗୁଳ: ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ମା। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ସମ୍ପର୍କୀୟ ଦିଅର ସହ କୁଆଡ଼େ ଚାଲିଯାଇଛନ୍ତି। ଏ ନେଇ ମହିଳାଙ୍କ ସ୍ୱାମୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ପୋଲିସ ସୂଚନା ମୁତାବକ, ମହିଳା ଜଣକ ୬ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ୫ ବର୍ଷର ପୁଅ ରହିଛି। କିଛି ଦିନ ହେବ ମହିଳାଙ୍କର ଜଣେ ଦୂର ସମ୍ପର୍କୀୟ ଦିଅର (ସ୍ୱାମୀଙ୍କ ମାମୁ ପୁଅ) ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଫୋନ୍ରେ ଘଣ୍ଟା ଘଣ୍ଟା ଧରି ଗପୁଥିଲେ। ସମ୍ପର୍କୀୟ ଦିଅର ହୋଇଥିବାରୁ କେହି ଏହାକୁ ଗୁରୁତର ସହ ନେଇ ନଥିଲେ। କିନ୍ତୁ ଗତ ବୁଧବାର ଦିନ ଉଭୟେ କେଉଁଆଡେ ପଳାଇଛନ୍ତି। ବହୁ ଖୋଜା ଖୋଜି କରିବା ପରେ କିଛି ପତ୍ତା ନ ମିଳିବାରୁ ମହିଳାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ୫ ବର୍ଷର ପୁଅକୁ ଛାଡି ମା ପ୍ରେମିକ ସହ ଫେରାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।