ମୁଖ୍ୟ ଖବର

୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ, ଡୋର୍ ଟୁ ଡୋର୍ ସର୍ଭେ ଉପରେ ସମୀକ୍ଷା

By Angul TV Bureau

July 09, 2026

ଭୁବନେଶ୍ୱର: ୨୦୨୭ ସାଧାରଣ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ ଟା ୩୦ ମିନିଟରେ ଓଏସଓ୍ବାନ (OSWAN) ପ୍ଲାଟଫର୍ମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ହେବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି।

ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ କାଉନସିଲଗୁଡ଼ିକର ବୁଥଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି। ଏଥିପାଇଁ ଘରକୁ ଘର ସର୍ଭେ ବା D2D ସର୍ଭେର ରୂପରେଖା ଓ କାର୍ଯ୍ୟ ଳପନ୍ଥା ଉପରେ ବିସ୍ତୃତ ଆଲୋଚନା ହେବ। ଏହାସହିତ ୨୦୨୨ ମସିହାର ସହରାଞ୍ଚଳ ସ୍ଥାନୀୟ କାଉନସିଲ୍ ନିର୍ବାଚନ ସମ୍ବନ୍ଧୀୟ ବକେୟା ଡିସି ବିଲ୍‌ ଓ ଉପଯୋଗ ପ୍ରମାଣପତ୍ର ଦାଖଲର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯିବ। ବକେୟା କାଗଜପତ୍ର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ଇଆରଓ, ଏଇଆରଓ ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ଜିଲ୍ଲା ଓଏସଓ୍ବାନ୍ (OSWAN) କେନ୍ଦ୍ରରୁ ଯୋଗଦେବେ। ଏହି ବୈଠକୁ ୨୦୨୭ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।