ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମହୋତ୍ସବ ପ୍ରସ୍ତୁତି ବୈଠକ: ଚଳିତବର୍ଷର ବାର୍ତ୍ତା ରହିଛି ‘ଆମର କନ୍ୟା ଆମର ଗର୍ବ’

By Angul TV Bureau

December 25, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବ ଜାନୁୟାରୀ ୧୨ରୁ ୧୪ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେବ।

ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଆସନ୍ତା ଜାନୁୟାରୀ ମାସ ୭ ତାରିଖରେ ଆୟୋଜନ କରାଯିବା ନିମନ୍ତେ ସ୍ଥିର ହୋଇଛି। ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ପାଳଲହଡାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ଶିବମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠ ଆଦି ୪ଟି ସ୍ଥାନରୁ ମଶାଲ ଆସିବ। ମଶାଲ ବିଭିନ୍ନ ବ୍ଲକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବେ ବୋଲି ସ୍ଥିର କରାଯାଇଛି। ଚଳିତବର୍ଷର ବାର୍ତ୍ତା ହେଉଛି ‘ଆମର କନ୍ୟା ଆମର ଗର୍ବ’। ମହୋତ୍ସବର ପ୍ରତି ସନ୍ଧ୍ୟାରେ ପ୍ରଥମେ ଜିଲ୍ଲାର କଳାକାର ଓ ପରେ ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ପ୍ରଦର୍ଶିତ କରିବେ। ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ, ଯୋଗ ପ୍ରାଣାୟମ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ ବାଲୁକାକଳା ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ସେହିପରି ୫ ଦିନ ଧରି ଆସନ୍ତା ଜାନୁୟାରୀ ମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯିବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।