ମୁଖ୍ୟ ଖବର

ଜରପଡା ବ୍ଲକ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ, ସରକାରଙ୍କୁ ଦରଖାସ୍ତ ଦେବେ ୨୨ ପଞ୍ଚାୟତବାସୀ

By Angul TV Bureau

September 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ବ୍ଲକ ପୁନର୍ଗଠନ ନିମନ୍ତେ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ଅପରାହ୍ନରେ ସ୍ଥାନୀୟ ଜରପଡା ଶିବ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ବ୍ଲକ୍ ପୁନର୍ଗଠନ ସଂପର୍କରେ ଆଲୋଚନା ହୋଇଥିଲା। ଏଥି ସହ କିଭଳି ରାଜ୍ୟ ସରକାରଙ୍କ ପାଖରେ ଲିଖିତ ଭାବରେ ଏହି ବ୍ଲକ ପୁନର୍ଗଠନ ଦାବି ନେଇ ସ୍ମାରକ ପତ୍ର ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା।

ବୈଠକରେ ସମସ୍ତ ଜରପଡ଼ା ଅଞ୍ଚଳର ଆଖପାଖ ପ୍ରାୟ ୨୨ ଟି ପଞ୍ଚାୟତର କର୍ମକର୍ତ୍ତା ତଥା ନିର୍ବାଚିତ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ବ୍ଲକ ପୁନର୍ଗଠନ ନିମନ୍ତେ ସରକାରଙ୍କୁ ଦରଖାସ୍ତ ପତ୍ର ଦେବେ ବୋଲି ନିଷ୍ପତ୍ତି ହୋଇଛି।

କ୍ରିୟାନୁଷ୍ଠାନ କମିଟି ସଭାପତି ସୁଦୀପ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଉପରୋକ୍ତ ପ୍ରସ୍ତାବିତ ଜରପଡା ବ୍ଲକ୍ ପୁନର୍ଗଠନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାନଯାଏ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ ଆଇନଜୀବୀ ନୀଳକଣ୍ଠ ସାହୁଙ୍କ ସମେତ କୋଷାଧ୍ୟକ୍ଷ ଡମ୍ବରୁଧର ବେହେରା ଓ ସମସ୍ତ ସଦସ୍ୟ କର୍ମକର୍ତ୍ତା ତଥା ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।