ମୁଖ୍ୟ ଖବର

“କୌଶଳ ରଥ” ପରିଭ୍ରମଣ ନିମନ୍ତେ ପ୍ରସ୍ତୁତି ବୈଠକ

By Swagatika Samantray

July 20, 2024

ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ “କୌଶଳ ରଥ” ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୌଶଳ ରଥ ପରିଭ୍ରମଣର ରୁଟ ମ୍ୟାପ୍ ଅନୁମୋଦନ କରାଯାଇଛି ।

ସୂଚନା ମୁତାବକ ଏହି ରଥ ଚଳିତ ମାସ ୨୭ ତାରିଖରେ ଅନୁଗୁଳ ଉପଖଣ୍ଡର ଜିଲ୍ଲା ମହାବିଦ୍ୟାଳୟ, ସରକାରୀ ଊଚ୍ଚ ବିଦ୍ୟାଳୟ, ବାଜି ରାଉତ ଛାତ୍ରାବାସ, ଆରସେଟି ଟ୍ରେନିଂ ସେଣ୍ଟର ଓ ସରକାରୀ ପଲିଟେକ୍‌ନିକ୍ ଠାରେ ପରିଭ୍ରମଣ କରିବ। ସେହିପରି ୨୮ ତାରିଖରେ ପାଲଲହଡା ଉପଖଣ୍ଡର ମାଲ୍ୟଗିରି ଉଚ୍ଚବିଦ୍ୟାଳୟ, କାମ୍ପରକଳା ଆଶ୍ରମ ବିଦ୍ୟାଳୟ, ଜମରଡିହି ଠାରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ନାମଗାଁ ସେବାଶ୍ରମ ଠାରେ ପରିଭ୍ରମଣ କରିବ। ୨୯ ତାରିଖରେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ଓ ବାପୁଜୀ ମହାବିଦ୍ୟାଳୟ, ପୋଡାପଡାର ଉଚ୍ଚ ବିଦ୍ୟାଳୟ ଓ ଜରପଡାର ପତିତପାବନ ଊଚ୍ଚ ବିଦ୍ୟାଳୟଠାରେ ପରିଭ୍ରମଣ କରିବ। ୩୦ ତାରିଖରେ ଆଠମଲ୍ଲିକ ଉପଖଣ୍ଡର ସରକାରୀ ଆଇଟିଆଇ, ଆଠମଲ୍ଲିକ ମହାବିଦ୍ୟାଳୟ, ଠାକୁରଗଡ ଉଚ୍ଚ ବିଦ୍ୟାଳୟ ଓ ବଇଣ୍ଡା ସ୍ଥିତ ରାମଦେଓ ଉଚ୍ଚ ବିଦ୍ୟାଳୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ରଥରେ ଅଭିଜ୍ଞତା ଥିବା ପ୍ରଶିକ୍ଷକଙ୍କ ଦ୍ବାରା ବିଭିନ୍ନ ପ୍ରକାର କୁଶଳୀ, ଊଚ୍ଚ ଦକ୍ଷତା ଜନିତ ପ୍ରଶିକ୍ଷଣ ଓ ବିଭିନ୍ନ ମେସିନ୍ଦୂର ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଯିବ । ଏହି ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରଣ୍ୟନ୍ଦୁ ମହାନ୍ତି, ଆଠମଲ୍ଲିକର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଭୂ ପିୟୁଷ ମହାପାତ୍ରଙ୍କ ସମେତ ବିଭିନ୍ନ ପଲିଟେକନିକ୍ କଲେଜର ଅଧ୍ୟକ୍ଷ, ବିଭିନ୍ନ ଶିଳ୍ପ ସଂସ୍କାର ପ୍ରତିନିଧି, ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁପ୍ରଭା ସେଠୀ ଓ ଆରସେଟିର ନିର୍ଦେଶକ ବି.କେ ରାଉତ ପ୍ରମୁଖ ଯୋଗ ଦେଇଥିଲେ।