ଅନ୍ୟାନ୍ୟ

ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ

By Angul TV Bureau

October 22, 2022

ଆଠମଲ୍ଲିକ : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ ଶୁକ୍ରବାର ଆଠମଲ୍ଲିକ ମା ବିନିକେୟୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ସଭାପତି ରାମଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ଜାତୀୟ ଅଧ୍ୟକ୍ଷ ଅଭିନ୍ନ ହୋତା ଓ ସମ୍ମାନିତ ଅତିଥିଭାବେ ଓଡିଶା ଶାଖା ସମ୍ପାଦିକା ଅନୁ ଭାଲ୍ଲା, ଆଠମଲ୍ଲିକ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ପୂର୍ବତନ ସରପଞ୍ଚ କପିଳେଶ୍ୱର ପ୍ରଧାନ ଓ ପଇଞ୍ଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହାନ୍ତି ଯୋଗ ଦେଇଥିଲେ।

ଆସନ୍ତା ଡିସେମ୍ବର ୧୦ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ଆଠମଲ୍ଲିକ ଅଞ୍ଚଳରୁ କିଭଳି ଅଧିକ ପ୍ରତିନିଧିତ୍ୱ ଯୋଗଦାନ କରିବେ ସେ ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଓ ଉପସଭାପତି ବିବେକାନନ୍ଦ ଭୁକ୍ତାଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଥିଲେ।

ବୈଠକରେ ଅନୁଗୁଳ ସାଧାରଣ ସଭ୍ୟଭାବେ ଠାକୁରଗଡ଼ର ଇନ୍ଦ୍ରମଣି ସାହୁ, ନାକଚିର ଯୁଧିଷ୍ଠିର ପ୍ରଧାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜ୍ଞାନରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।