ଅନୁଗୁଳ:ଅନୁଗୁଳର ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ସମାଜ ସେବା କାର୍ଯ୍ୟକୁ ଆଗେଇ ନେବା ପାଇଁ ‘ରମେଶ ଜେନା ସ୍ମୃତି ପରିଷଦ’ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କୁଲାଡ଼ ସ୍ଥିତ ନାଲକୋନଗରଠାରେ ପରିଷଦର ଚେୟାରମ୍ୟାନ୍ ହେମନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆସନ୍ତା ମାର୍ଚ୍ଚ ୧ ତାରିଖ ରବିବାର ପୂର୍ବାହ୍ନ ୧୧ଟାରେ କୁଲାଡ଼ ଏଫସିଆଇ ଛକଠାରେ ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ।
ଏହି ସ୍ମୃତି ସଭା ଅବସରରେ ଶ୍ରମିକ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ। ବିଶେଷ କରି ଶ୍ରମିକ କଲ୍ୟାଣ ପାଇଁ ‘ରମେଶ ଜେନା ଶ୍ରମିକ ବନ୍ଧୁ ପୁରସ୍କାର’ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ‘ରମେଶ ଜେନା ଶିକ୍ଷା ବୃତ୍ତି’ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସ୍ୱର୍ଗତ ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରିଷଦ ଆଗାମୀ ଦିନରେ ଅସହାୟଙ୍କୁ ଶିକ୍ଷାଗତ ସହାୟତା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଭଳି ଜନହିତକର କାର୍ଯ୍ୟ ଜାରି ରଖିବାକୁ ସଂକଳ୍ପ ନେଇଛି। ଶ୍ରମିକମାନଙ୍କ ଅଧିକାର ଓ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାକୁ ପରିଷଦ ମୁଖ୍ୟ ଲକ୍ଷ୍ୟ ରଖିଛି।
ଆଜିର ପ୍ରସ୍ତୁତି ବୈଠକରେ ପରିଷଦର ସାଧାରଣ ସମ୍ପାଦକ ରାଜୀବ ଜେନା, ଉପଦେଷ୍ଟା ବିପ୍ଳବ ଜେନା, କାର୍ଯ୍ୟକାରୀ ଅଧ୍ୟକ୍ଷ ଭାସ୍କର ସାହୁଙ୍କ ସମେତ ବସନ୍ତ ପାତ୍ର, ବିଜନ ଦଳବେହେରା, ନିରୋଦ ଧୀର, ତ୍ରିନାଥ ସାହୁ, ସନାତନ କଅଁର, ଅମିୟ ନାୟକ, ମନୋଜ ସାହୁ, ବିରଞ୍ଚି ସ୍ୱାଇଁ, ବିଭବ ଜେନା, ବସନ୍ତ ଦଳବେହେରା ଏବଂ ମହିମା ଜେନା ପ୍ରମୁଖ ଉପସ୍ଥିତ ଥିଲେ।